ପ୍ରଶାନ୍ତ କିଶୋରଙ୍କ ଭୂମିକା ନିର୍ଦ୍ଧାରଣ କରିବେ ସୋନିଆ

ନୂଆଦିଲ୍ଲୀ ୨୩।୦୪ : (ସଂକେତ ଟିଭି) ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ଏକ ରକମ ଚୂଡାନ୍ତ ହୋଇସାରିଛି । ତେବେ ଦେଶର ସର୍ବପୁରାତନ ପାର୍ଟିରେ ତାଙ୍କର ଭୂମିକା କ’ଣ ରହିବ ତାହା କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଦଳର ବରିଷ୍ଠ ନେତା ଓ ରାହୁଲ ଗାନ୍ଧିଙ୍କ ସହ ପରାମର୍ଶ କରି ନିଷ୍ପତ୍ତି ନେବେ ବୋଲି ଏକ ସୂତ୍ରରୁ ଜଣାପଡିଛି । ଏହାଛଡା ପ୍ରଶାନ୍ତ କିଶୋର ଦେଇଥିବା ପ୍ରସ୍ତାବ ଉପରେ ଅନୁଧ୍ୟାନ କରିବାକୁ ଶ୍ରୀମତୀ ଗାନ୍ଧି ଗଠନ କରିଥିବା ଏକ ଟିମ୍‌ର ପ୍ରସ୍ତାବ ଅନୁଯାୟୀ କଂଗ୍ରେସରେ ଯୋଗଦେବାପରେ ପିକେ ଅନ୍ୟ ଦଳ ସହ ଥିବା ସମ୍ପର୍କକୁ ତୁଟାଇବାକୁ ପଡିବ ।

ପୂର୍ବରୁ କଂଗ୍ରେସରେ ଯୋଗଦେବାକୁ ପିକେ ଉଦ୍ୟମ କରିଥିଲେ । ହେଲେ ସେ ବିଫଳ ହୋଇଥିଲେ । ମାତ୍ର ଏଥର ସେ ସଫଳ ହୋଇଥିବା ସୂଚନା ମିଳିଛି । ପିକେଙ୍କର ଆଇପ୍ୟାକ୍‌ ସଂସ୍ଥା ପୂର୍ବରୁ ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ, ୱାଇଏସ୍‌ଆର୍‌ କଂଗ୍ରେସର ଜଗମୋହନ ରେଡ୍ଡିଙ୍କ ସହ କାର୍ଯ୍ୟ କରିଛନ୍ତି ଓ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ତାଙ୍କୁ ବିଜୟ ଦେଇଛନ୍ତି ।

ସେହିଭଳି ସେ ମଧ୍ୟ ତେଲେଙ୍ଗାନାର କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ର ସମିତି ସହ କାର୍ଯ୍ୟ କରିଛନ୍ତି ଓ ତା’ର ରାଜନୈତିକ ଉପଦେଷ୍ଟା ଅଛନ୍ତି । କଂଗ୍ରେସରେ ଯୋଗଦେଲେ ଏହି ଦଳଗୁଡିକ ସହ ସମ୍ପର୍କ ଛିନ୍ନ କରିବାକୁ ପଡିବ । ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କ ମତରେ ପିକେ ଗୋଟିଏ ଦଳରୁ ଅନ୍ୟ ଦଳରେ କାର୍ଯ୍ୟ କରିବାରେ ନଜିର ରହିଛି । ତେଣୁ ତାଙ୍କର ରାଜନୈତିକ ପ୍ରତିବଦ୍ଧତା ଓ ଆଭିମୁଖ୍ୟ ପ୍ରତି ପ୍ରତିବଦ୍ଧତା ଉପରେ ମଧ୍ୟ ପ୍ରଶ୍ନ କରାଯାଇପାରେ । ମାତ୍ର ଯଦି ସେ କିଛି ନିର୍ଦ୍ଦିଷ୍ଟ ପ୍ରସ୍ତାବ ନେଇ ଆସୁଛନ୍ତି ତାହା ଭଲ ।

ସେହିଭଳି କଂଗ୍ରେସର ଅନ୍ତରୀଣ କମିଟି ଯେ କୌଣସି ମୁହୂର୍ତ୍ତରେ ସୋନିଆଙ୍କୁ ପିକେଙ୍କ ଭୂମିକା ନେଇ ତାଙ୍କ ରିପୋର୍ଟ ଦେଇପାରେ । ପିକେ ମଧ୍ୟ କଂଗ୍ରେସର ପୁନରୁଦ୍ଧାର ପାଇଁ ଅନେକ ପ୍ରସ୍ତାବ ବାଢ଼ିଛନ୍ତି । ସେ ଦଳର ପୂର୍ବ ଇତିହାସକୁ ମନେପକାଇବା ସହ କ୍ଷମତାରେ ଥିବାବେଳେ କଂଗ୍ରେସ ଅମଳରେ କ’ଣ କ’ଣ କାର୍ଯ୍ୟ ହୋଇଛି ତା’ର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଛନ୍ତି । ବିଶେଷ କରି ମୁଣ୍ଡପିଛା ଆୟ କେତେ ଥିଲା ଓ କଂଗ୍ରେସ ଶାସନ ପରେ କେତେ ବଢ଼ିଥିଲା, ଦେଶରେ କ’ଣ କ’ଣ ପ୍ରତିଷ୍ଠା ହୋଇଛି ତାହା ମଧ୍ୟ ଉଲ୍ଲେଖ କରିଛନ୍ତି ।

ସେହିଭଳି ରାଜସ୍ଥାନ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଏ ବାବଦରେ ପରାମର୍ଶ କରାଯାଇଛି । ପ୍ରିୟଙ୍କା ଗାନ୍ଧି, ମୁକୁଲ ୱାସନିକ୍‌, ରଣଦ୍ୱୀପସିଂ ସୁରଜୱାଲା, କେସି ବେଣୁଗୋପାଳ ଓ ଅମ୍ବିକା ସୋନିଙ୍କୁ ନେଇ ଗଠିତ ଅନ୍ତରୀଣ କମିଟି ମଧ୍ୟ ପିକେଙ୍କ ପ୍ରସ୍ତାବ ଉପରେ କାର୍ଯ୍ୟ କରିବାକୁ ମତ ରଖିଛନ୍ତି । ଦଳର ଭବିଷ୍ୟତ ପାଇଁ ଏହି କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ଉଲ୍ଲେଖ କରିଛନ୍ତି ।