କ୍ରମାଗତ ସପ୍ତମ ପରାଜୟ ନେଇ ରୋହିତ ଶର୍ମା ହତାଶ

ମୁମ୍ବାଇ ୨୩।୦୪ : (ସଂକେତ ଟିଭି) ପାଞ୍ଚଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ବର୍ଷର ଆଇପିଏଲରେ ସବୁଠାରୁ ଖରାପ ପ୍ରଦର୍ଶନ କରି ଏକ ନିଆରା ରେକର୍ଡ ପ୍ରତିଷ୍ଠା କରିଛନ୍ତି । କାରଣ ପୂର୍ବରୁ ଅନ୍ୟ କୌଣସି ଦଳ ଆଇପିଏଲରେ ପ୍ରାରମ୍ଭରୁ ଲଗାତର ୭ ପରାଜୟ ସ୍ୱିକାର କରି ନ ଥିଲେ । ଅବଶ୍ୟ ଆଇପିଏଲରେ ଲଗାତର ୭ ମ୍ୟାଚ ହାରିବା ହେଉଛି ଏକାଦଶତମ ଦୃଷ୍ଟାନ୍ତ ।

ମାତ୍ର ଏକ ପୂର୍ବତନ ଚାମ୍ପିଅନ ଦଳ ଭାବେ ଓ ଆଇପିଏଲ ଆରମ୍ଭରୁ କ୍ରମାଗତ ୭ ମ୍ୟାଚରେ ହାରିବା ଏକ ନିଆରା ରେକର୍ଡ । ୨୦୧୩ ଆଇପିଏଲରେ ଦିଲ୍ଲୀ ଡେୟାର ଡେଭିଲ୍ସ(ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ)ଓ ୨୦୧୯ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର କ୍ରମାଗତ ୬ ଲେଖାଏଁ ମ୍ୟାଚରେ ପରାଜୟ ସ୍ୱିକାର କରିଥିଲେ । ତେଣୁ ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏହି ଅଲୋଡା ରେକର୍ଡ ପ୍ରତିଷ୍ଟା କରିବା ସହିତ ଲଜ୍ଜା ଜନକ ପରିସ୍ଥିତିରେ ପଡିଛି ।

ଗୁରୁବାର ଦିନ ସ୍ଥାନୀୟ ଡିୱାଇ ପଟିଲ ଷ୍ଟାଡିୟମରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩ ୱିକେଟରେ ପରାସ୍ତ କରିଥିଲା ଚେନ୍ନାଇ ସୁପର କିଙ୍ଗସ । ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ଚଳିତ ବର୍ଷ ମଧ୍ୟ ଆଶାନୁରୂପ୍ରଦର୍ଶନ କରିବାରେ ବିଫଳ ହୋଇଛି । କାରଣ ଆଇପିଏଲ ଓପନିଂ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଠାରୁ ହାରିବା ପରେ ଚେନ୍ନାଇ ସୁପର କିଙ୍ଗସ ଆଉ ସହଜରେ ବିଜୟ ଧାରାକୁ ଫେରି ପାରି ନ ଥିଲା । ମାତ୍ର ୭ ମ୍ୟାଚରୁ କେବଳ ୨ ବିଜୟ ହାସଲ କରିଛି ।

ଗୁରୁବାର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଠାରୁ ହାରିବା ଘଟଣା ଅଧିନାୟକ ରୋହିତ ଶର୍ମାଙ୍କୁ ବଡ ଚିନ୍ତାରେ ପକାଇଛି । କାରଣ ଗତ ବର୍ଷ ଦଳର ପ୍ରଦର୍ଶନ ଭଲ ନ ଥିବା ବେଳେ ଚଳିତ ବର୍ଷ ତା ଠାରୁ ଆହୁରି ଅଧିକ ଖରାପ ହୋଇ ପଡିଛି । ମୁଖ୍ୟତଃ ମୁମ୍ବାଇ ଦଳର ଅଧିନାୟକ ରୋହିତ ଶର୍ମା ଓ ଦଳର ସବୁଠାରୁ ଦାମୀ ଖେଳାଳି ଇଶାନ କିଶାନଙ୍କ ଚରମ ବିଫଳତା ଦଳ ପାଇଁ ବଡ ସମସ୍ୟା ସୃଷ୍ଟି କରୁଛି ।

ସେହିପରି ଚଳିତ ବର୍ଷ ଖେଳାଳି ଅଦଳବଦଳ ହେବା ପରେ ଦଳର ପୂର୍ବ ସ୍ଥିତି ଅତି ଦୂର୍ବଳ ହୋଇ ପଡିଛି । ବ୍ୟାଟିଂ ବିଫଳତା ସାଂଗକୁ ବୋଲିଂରେ ମଧ୍ୟ ସଫଳ ହୋଇ ପାରୁନି । ତେଣୁ ମୁମ୍ବାଇ ଇଣ୍ଡିଆନସ ଅବଶିଷ୍ଟ ମ୍ୟାଚରେ ବିଜୟୀ ହୋଇ ଆଗକୁ ବଢ଼ିବା ଆଶା ଏକ ପ୍ରକାର ମଉଳି ଯାଇଛି ।