କମଳା ହାରିସ୍‌ ଓ ମାର୍କ ଜୁକରବର୍ଗଙ୍କ ଉପରେ ରୁଷ୍‌ର କଟକଣା

ନୂଆଦିଲ୍ଲୀ ୨୩।୦୪ :(ସଂକେତ ଟିଭି) ଆମେରିକା ଉପରାଷ୍ଟ୍ରପତି କମଳା ହାରିସ୍‌ ଏବଂ ‘ମେଟା’ ସିଇଓ ମାର୍କ ଜୁକରବର୍ଗଙ୍କ ସମେତ ୨୯ଜଣ ଆମେରିକୀୟ ନାଗରିକ ଓ ୬୧ଜଣ କାନାଡୀୟ ନାଗରିକଙ୍କ ଉପରେ ରୁଷ୍‌ ବ୍ୟକ୍ତିଗତ କଟକଣା ଜାରି କରିଥିବା କଥା ରୁଷୀୟ ବୈଦେଶିକ ମନ୍ତ୍ରାଳୟ କହିଛି । ଆମେରିକାର ଜୋ ବାଇଡେନ୍‌ ପ୍ରଶାସନ ଦ୍ୱାରା ଜାରି ରୁଷୀୟ ବିରୋଧୀ କଟକଣାର ପ୍ରତ୍ୟୁତ୍ତରରେ ସମୁଦାୟ ୨୯ଜଣ ଆମେରିକୀୟ ନାଗରିକଙ୍କୁ ରୁଷର ‘ଷ୍ଟପ୍‌ ଲିଷ୍ଟ୍‌’ରେ ଅନ୍ତର୍ଭୁକ୍ତ କରାଯାଇଛି ।

ରୁଷ୍‌ ବିରୋଧରେ ଅପ୍ରାସଙ୍ଗିକ ଘୃଣା ମନୋଭାବ ପୋଷଣ କରୁଥିବା ଶୀର୍ଷସ୍ତରୀୟ ଆମେରିକୀୟ ନେତା, ବ୍ୟବସାୟୀ, ବିଶେଷଜ୍ଞ ଏବଂ ସାମ୍ବାଦିକମାନେ ତଥା ଅନେକ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ପତି ଓ ପନିୀମାନେ ଉପରୋକ୍ତ ତାଲିକାଭୁକ୍ତ ହୋଇଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେମାନେ ରୁଷରେ ପ୍ରବେଶ କରି ପାରିବେ ନାହିଁ । ସେହିପରି, ରୁଷ୍‌ ବିରୋଧରେ ଅପ୍ରାସଙ୍ଗିକ ଘୃଣା ମନୋଭାବର ପ୍ରସାର କରୁଥିବା ପ୍ରତିବାଦରେ କାନଡାର ଦଳେ ସରକାରୀ ଅଧିକାରୀ, ପ୍ରତିରକ୍ଷା ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ‘ଷ୍ଟପ୍‌ ଲିଷ୍ଟ୍‌’ ଅନ୍ତର୍ଭୁକ୍ତ କରାଯାଇଛି । ସମୁଦାୟ ୬୧ଜଣ କାନଡୀୟ ନାଗରିକମାନ ପ୍ରତି ରୁଷ୍‌ ପ୍ରବେଶ ନିଷେଧ ଆଦେଶ ଜାରି କରାଯାଇଛି ।

ବୈଦେଶିକ ମନ୍ତ୍ରାଳୟ କହିଛି, ଆମେରିକା ଓ କାନଡାର ତିକ୍ତତା ଭରା ପଦକ୍ଷେପର ପ୍ରତ୍ୟୁତ୍ତର ସ୍ୱରୂପ ନିକଟ ଭବିଷ୍ୟତରେ ‘ଷ୍ଟପ୍‌ ଲିଷ୍ଟ୍‌’କୁ ସମ୍ପ୍ରସାରଣ କରାଯିବ ।