ରୁଷକୁ ଘାରିଛି ଫନିକ୍ସ ଘୋଷ୍ଟ ଡ୍ରୋନର ଭୟ

କିଭ୍ ୨୩।୦୪ :(ସଂକେତ ଟିଭି) ରୁଷ ଆକ୍ରମଣର ପ୍ରତିରୋଧ କରିବାକୁ ଆମେରିକା ୟୁକ୍ରେନ ପାଇଁ ୮୦୦ ନିୟୁତ ଡଲାରର ସାମରିକ ସହାୟତା ଘୋଷଣା କରିଛି । ଏହି ସହାୟତା ମାଧ୍ୟମରେ ପେଣ୍ଟାଗନ୍‌ ପକ୍ଷରୁ ୟୁକ୍ରେନକୁ କେତେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯିବ । ସେଗୁଡ଼ିକ ମଧ୍ୟରେ ରହିଛି ଫନିକ୍ସ ଘୋଷ୍ଟ ଡ୍ରୋନ ଓ ହାୱିତଜର ତୋପ । ତେବେ ଫିନିକ୍ସ ଘୋଷ୍ଟ ଡ୍ରୋନ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି । କାରଣ ଆମେରିକାର ଏହି ଅତ୍ୟାଧୁନିକ ଡ୍ରୋନ ବିଶ୍ୱର ସବୁଠାରୁ ରହସ୍ୟମୟ ଡ୍ରୋନ ବୋଲି କୁହାଯାଉଛି । କାରଣ ଏହା ପ୍ରକୃତରେ ଦେଖିବାକୁ କିପରି ସେ ସମ୍ପର୍କରେ ଆମେରିକା ବାହାରର ଦୁନିଆରେ କୌଣସି ଧାରଣା ନାହିଁ । ଏପରିକି ଏହା ଆମେରିକା ସାମରିକ ବାହିନୀରେ ବି ସାମିଲ ହୋଇନାହିଁ ।

ପ୍ରଥମ ଥର ପାଇଁ ସର୍ବାଧୁନିକ ଡ୍ରୋନକୁ ୟୁକ୍ରେନକୁ ପ୍ରଦାନ କରିବ ଆମେରିକା । ଏହାର ଆକ୍ରମଣ କ୍ଷମତା ଅତି ଘାତକ ଓ ଏହା ରାଡାରରେ ବି ଦୃଶ୍ୟମାନ ହୋଇ ନଥାଏ । ପୂର୍ବ ୟୁକ୍ରେନର ଭୌଗୋଳିକ ସ୍ଥିତି ଅନୁସାରେ ଏହି ଡ୍ରୋନ ବେଶ ପ୍ରଭାବି ହୋଇପାରିବ ବୋଲି ପେଣ୍ଟାଗନର ମୁଖପାତ୍ର ଜନ କର୍ବି କହିଛନ୍ତି । ଏହି ଡ୍ରୋନ ଟାର୍ଗେଟର ଫଟୋ ଫଠାଇ ପଠାଇପାରିବ । ତେବେ ଏହାର ମୁଖ୍ୟ କାମ ହେଉଛି ‘ଆକ୍ରମଣ କରିବା’ ବୋଲି କର୍ବି କହିଛନ୍ତି । ଏହି ଡ୍ରୋନର ମୁକାବିଲା କରିବା ରୁଷ ସେନା ପାଇଁ ଏକ ଚ୍ୟାଲେଞ୍ଜ ହେବ ବୋଲି ଆଶା କରାଯାଉଛି ।