ବିଜେପି ଖାତାରେ ୨୧୨.୫ କୋଟି ଚାନ୍ଦା, କଂଗ୍ରେସ ସମେତ ଆଉ ୧୦ ପାର୍ଟିକୁ ମୋଟ ୧୯ କୋଟି

ନୂଆଦିଲ୍ଲୀ : (ସଂକେତ ଟିଭି)ଆର୍ଥିକ ବର୍ଷରେ ଦେଶରେ ୭ଟି ନିର୍ବାଚନୀ ଟ୍ରଷ୍ଟକୁ କର୍ପୋରେଟ୍ ଓ ବ୍ୟକ୍ତିଗତ ଚାନ୍ଦା ଆକାରରେ ୨୫୮ କୋଟି ୪୯ଲକ୍ଷ ଟଙ୍କା ମିଳିଛି । ଏହି ମୋଟ ଚାନ୍ଦାର ୮୨ ପ୍ରତିଶତ ଭାଗ ବିଜେପି ଖାତାକୁ ଆସିଛି । ନିର୍ବାଚନ ସୁଧାର ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ୍ ଫର୍‌ ଡେମୋକ୍ରାଟିକ୍ ରିଫର୍ମର୍ସ (ଏଡିଆର୍‌) ଏହି ସୂଚନା ଦେଇଛି ।

ସୂଚନାଥାଉକି ନିର୍ବାଚନୀ ଟ୍ରଷ୍ଟ ହେଉଛି ଏକ ଅଣଲାଭକାରୀ ସଂସ୍ଥା । ଏହା କର୍ପୋରେଟ୍ ଓ ବ୍ୟକ୍ତିଗତ ଭାବେ ମିଳୁଥିବା ଚାନ୍ଦାକୁ ରାଜନୈତିକ ଦଳ ନିକଟକୁ ପହଞ୍ଚାଇଥାଏ । ଦେଶରେ ନିର୍ବାଚନୀ ଫଣ୍ଡିଂର ପାରଦର୍ଶିତା ଆଣିବା ଉଦ୍ଦେଶ୍ୟରେ ଏହି ନିର୍ବାଚନୀ ଟ୍ରଷ୍ଟ ଗଠନ କରାଯାଇଛି । ଏଡିଆର୍ ତା’ର ରିପୋର୍ଟରେ ଦର୍ଶାଇଛି ଯେ ମୋଟ ୨୩ଟି ନିର୍ବାଚନୀ ଟ୍ରଷ୍ଟ ମଧ୍ୟରୁ ୧୬ଟି ଟ୍ରଷ୍ଟ ୨୦୨୦-୨୧ ଆର୍ଥିକ ବର୍ଷରେ ଚାନ୍ଦା ରିପୋର୍ଟ ଜମା କରିଛନ୍ତି । ଏମାନଙ୍କ ମଧ୍ୟରୁ ୭ଟି ଟ୍ରଷ୍ଟ ଚାନ୍ଦା ମିଳିଥିବା ଦର୍ଶାଇଥିବାବେଳେ ୯ଟି ଟ୍ରଷ୍ଟ କୌଣସି ଚାନ୍ଦା ମିଳିନଥିବା ଦର୍ଶାଇଛନ୍ତି ।

ଏହି ୭ଟି ଟ୍ରଷ୍ଟରେ ମିଳିଥିବା ରିପୋର୍ଟ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ୨୫୮ କୋଟି ୪୯ଲକ୍ଷ ୧୫ ହଜାର ଚାନ୍ଦା ମିଳିଥିବା ଦର୍ଶାଯାଇଛି । ଏଡିଆର୍ ତଥ୍ୟ ଅନୁସାରେ ମୋଟ ୨୫୮ କୋଟି ୪୯ ଲକ୍ଷ ଚାନ୍ଦାରୁ କେବଳ ଭାରତୀୟ ଜନତା ପାର୍ଟି (ବିଜେପି)କୁ ୨୧୨ କୋଟି ୫ଲକ୍ଷ ମିଳିଥିବା ବେଳେ ଡେଡି(ୟୁ)କୁ ୨୭ କୋଟି ମିଳିଛି । କଂଗ୍ରେସ, ଆର୍‌ଜେଡି, ଏନ୍‌ସିପି, ଏଆଇଏଡିଏମ୍‌କେ, ଡିଏମ୍‌କେ, ଆର୍‌ଜେଡି, ଆପ୍‌, ଏଲ୍‌ଜେପି, ସିପିଏମ୍‌, ସିପିଆଇକୁ ମୋଟ ୧୯ କୋଟି ୩୮ ଲକ୍ଷ ଟଙ୍କା ଚାନ୍ଦା ଆକାରରେ ପ୍ରାପ୍ତ ହୋଇଛି ।

୨୩ ପଞ୍ଜିକୃତ ନିର୍ବାଚନୀ ଟ୍ରଷ୍ଟ ମଧ୍ୟରୁ ୧୪ଟି ଟ୍ରଷ୍ଟ ନିୟମିତ ସେମାନଙ୍କ ଚାନ୍ଦା ବିବରଣୀ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଥାନ୍ତି । ଅନ୍ୟ ୮ଟି ଟ୍ରଷ୍ଟଙ୍କ କହିବାନୁଯାୟୀ ସେମାନଙ୍କ ରେଜିଷ୍ଟ୍ରେସନ୍‌ ପରେ ତାଙ୍କୁ କୌଣସି ଚାନ୍ଦା ମିଳିନାହିଁ ।