ଟ୍ରକ ପଛ ପଟେ ପିଟି ହେଲା କାର୍, ଡାକ୍ତର ଅଞ୍ଜନ ଷଡ଼ଙ୍ଗୀଙ୍କ ମୃତ୍ୟୁ

ବାରିପଦା : (ସଂକେତ ଟିଭି) ସଡକ ଦୁର୍ଘଟଣାରେ ମୟୂରଭଞ୍ଜର ଜଣାଶୁଣା ମହିଳା ଓ ପ୍ରସୂତୀ ବିଭାଗର ବରିଷ୍ଠ ବିଶେଷଜ୍ଞ ଡା. ଅଞ୍ଜନ ଷଡ଼ଙ୍ଗୀଙ୍କ ଦେହାନ୍ତ ହୋଇଯାଇଛି। ସେ ସକାଳେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ଅଣାଯିବା ବାଟରେ ଭଦ୍ରକ ନିକଟରେ ତାଙ୍କର ଦେହାନ୍ତ ହୋଇଥିଲା।

ସୂଚନା ଅନୁସାରେ, ସ୍ବର୍ଗତ ଡା ଷଢଙ୍ଗୀ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ମହିଳା ଓ ପ୍ରସୂତୀ ବିଶେଷଜ୍ଞ ଭାବରେ ଚାକିରୀ କରୁଥିଲେ । ବାଲେଶ୍ବରରୁ ନିଜ ଘର ବାରିପଦା ଫେରିବା ବାଟରେ ଆଜି ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥରେ ମଞ୍ଚାବନ୍ଧା ନିକଟରେ ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ ପଛରେ କାର ପିଟିହେବା ପରେ ଡା. ଅଞ୍ଜନ ଷଡ଼ଙ୍ଗୀ ଗାଡିରେ ଚାପି ହୋଇ ରହିଯାଇଥିଲେ। ଏହାପରେ ଅଗ୍ନିଶମ ବିଭାଗ କଟର ସହାୟତାରେ କାରକୁ କାଟି ତାଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ୍ ମେଡିକାଲ ରେ ଭର୍ତ୍ତିକରିଥିଲେ। ସେଠାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରିବା ବାଟରେ ତାଙ୍କର ପରଲୋକ ହୋଇଯାଇଛି।

ମହିଳା ଓ ପ୍ରସୂତୀ ବିଭାଗର ବରିଷ୍ଠ ବିଶେଷଜ୍ଞ ଡା. ଅଞ୍ଜନ ଷଡ଼ଙ୍ଗୀ ମୟୂରଭଞ୍ଜ ସମେତ ପଡୋଶୀ ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ଜଣେ ବେଶ୍ ଜଣାଶୁଣା ଡାକ୍ତର ହୋଇଥିବାବେଳେ ତାଙ୍କ ପତ୍ନୀ ଡା ମିତା ମିଶ୍ର ଜଣେ ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଭାବେ ଜଣାଶୁଣା । ତାଙ୍କର ଏକମାତ୍ର ପୁଅ ଭୁବନେଶ୍ୱରରେ ନବମ ଶ୍ରେଣୀରେ ପାଠ ପଢୁଛି ।