୨୦୨୪ ପାଇଁ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ପରାମର୍ଶ ଦେଲେ ନବୀନ

ଭୁବନେଶ୍ବର : (ସଂକେତ ଟିଭି)୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ । ସାଙ୍ଗଠନିକ ଶକ୍ତିକୁ ଦୃଢ ପାଇଁ ପଦକ୍ଷେପ ନିଅ । ଯେଉଁସବୁ ଜିଲ୍ଲାରେ ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡି ପଛୁଆ ରହିଲା ତାର କାରଣ ଖୋଜ ଓ ସେ ନେଇ ରିପୋର୍ଟ ଦିଅ । ଏପରି ଏକ ନିର୍ଦ୍ଦେଶ ନବୀନ ନିବାସରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ବୈଠକରେ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଶନିବାର ଜିଲ୍ଲାୱାରି ବୈଠକ କରିଛନ୍ତି ଶ୍ରୀ ପଟ୍ଟନାୟକ । ପ୍ରଥମ ଦିନର ପ୍ରଥମ ପର୍ଯ୍ୟାୟରେ ୯ ଜିଲ୍ଲାର ୮ ପର୍ଯ୍ୟବେକ୍ଷକଙ୍କ ସହ ନିର୍ବାଚନ ଫଳାଫଳ ନେଇ ସମୀକ୍ଷା କରିଥିଲେ ଶ୍ରୀ ପଟ୍ଟନାୟକ । ଏ ନେଇ ୧୦ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତୃଣମୂଳସ୍ତରରେ ବିଜେଡିକୁ ଅଧିକ ସୁଦୃଢ ତଥା ସୁସଂଗଠିତ କରିବା ପାଇଁ ବୈଠକରେ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ପର୍ଯ୍ୟବେକ୍ଷକ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ସୁପ୍ରିମୋ ଆଲୋଚନା କରିବା ପରେ ବାଲେଶ୍ୱର ପର୍ଯ୍ୟବେକ୍ଷକ ପ୍ରତାପ ଦେବ, କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟଙ୍କ ସହ ବିଶଦଭାବେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡି କାହିଁକି ପଛୁଆ ରହିଲା ସେ ନେଇ ମଧ୍ୟ କାରଣ ପଚାରିଥିଲେ । ମାଇକ୍ରୋ ଲେବଲରେ କଣ ଅସୁବିଧା ସେ ସଂପର୍କରେ ମଧ୍ୟ ସେ ଅବଗତ ହୋଇଥିଲେ ।

ଏଥିୂର୍ବରୁ ବିଜେଡିର ସମସ୍ତ ନବନିର୍ବାଚିତ ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ଏବଂ ପୌର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ଭୁବନେଶ୍ୱର ଡକାଯାଇ ସେମାନଙ୍କ ସହ ସିଧାସଳଖ ଆଲୋଚନା କରାଯାଇଥିଲା । ପର୍ଯ୍ୟବେକ୍ଷକଙ୍କଠାରୁ ରିପୋର୍ଟ ମିଳିବା ପରେ ସାଙ୍ଗଠନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହେବାର ସମ୍ଭାବନା ମଧ୍ୟ ଦେଖା ଦେଇଛି । ଏପରିକି ପଞ୍ଚମ ପାଳିର ତିନିବର୍ଷ ପୂରିଥିଲେ ମଧ୍ୟ ମନ୍ତ୍ରିମଣ୍ଡଳରେ କୌଣସି ଅଦଳବଦଳ ହୋଇନଥିବାରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ମଧ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଗୋଟିଏ ପଟେ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀଦଳ ବିଜେପି ଓ କଂଗ୍ରେସ ନିଜର ତ୍ରୁଟିପୂର୍ଣ୍ଣ ସାଙ୍ଗଠନିକ ରଣନୀତି ପାଇଁ ନିର୍ବାଚନରେ ବିଜେଡିକୁ ଟକ୍କର ଦେବା ସ୍ଥିତିରେ ନାହାନ୍ତି । ଏହି ଦୁଇଦଳ ଲୋକଙ୍କ ନିକଟତର ହେବାରେ ବିଫଳ ହୋଇଛନ୍ତି । ତେଣୁ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିକୁ ନୂଆ ରୂରେ ଗଢିବା ପାଇଁ ସୁପ୍ରିମୋ ଚିନ୍ତା କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି ।

ପ୍ରଥମ ଦିନରେ କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ବାଲେଶ୍ୱର, ନୟାଗଡ଼, ଅନୁଗୋଳ, ନବରଙ୍ଗପୁର, ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଛି । ଏହି ଆଲୋଚନା ତିନିଦିନ ଧରି ଚାଲୁ ରହିବ ।