ମହଙ୍ଗା ସାର ପ୍ରଭାବରୁ ବିଶ୍ୱ ଚାଉଳ ଉତ୍ପାଦନରେ ବଡ଼ ହ୍ରାସ ଆଶଙ୍କା

ନୂଆଦିଲ୍ଲୀ : (ସଂକେତ ଟିଭି)ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସାର ଦର ବୃହତ୍‌ ମାତ୍ରାରେ ବୃଦ୍ଧି ପାଇଛି । ବିଶେଷ କରି ଡିଏପି ଦର ବଢ଼ିବା ଯୋଗୁଁ ଭାରତ ସମେତ ସମଗ୍ର ଏସିଆରେ ଧାନ ଚାଷୀମାନେ ଏହାର ବ୍ୟବହାରକୁ କମ୍ କରିଦେଇଛନ୍ତି । ଏସବୁ ମଧ୍ୟରେ ଚାଉଳ ଉତ୍ପାଦନରେ ବଡ଼ ହ୍ରାସ ଆଶଙ୍କା ରହିଛି । ବିଶ୍ୱର ଅଧା ଜନସଂଖ୍ୟାଙ୍କ ଏହା ମୁଖ୍ୟ ଭୋଜନ ହୋଇଥିବାବେଳେ ଆଗକୁ ବଡ଼ ସମସ୍ୟା ଦେଖାଦେଇପାରେ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଭାରତଠାରୁ ଆରମ୍ଭ କରି ଭିଏତ୍‌ନାମ ଏବଂ ଫିଲିପାଇନ୍ସ ପର୍ଯ୍ୟନ୍ତ ରାଷ୍ଟ୍ରରେ ବର୍ଷକ ମଧ୍ୟରେ ବିଭିନ୍ନ ସାର ବା ଉର୍ବରକ ଦର ୩ ଗୁଣା ବଢ଼ିଗଲାଣି । ଫଳରେ ଚାଷୀ ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଏହି ଉର୍ବରକଗୁଡ଼ିକର ବ୍ୟବହାରକୁ କମ୍ କରି ଦେଇଛନ୍ତି । “ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ’ର ଆକଳନ ଅନୁସାରେ ଏହି କାରଣରୁ ଆଗାମୀ ଅମଳ ଋତୁରେ ବିଶ୍ୱରେ ଚାଉଳ ଉତ୍ପାଦନ ୧୦% ଅର୍ଥାତ୍ ୩.୬ କୋଟି ଟନ୍ ପର୍ଯ୍ୟନ୍ତ ହ୍ରାସ ଘଟିପାରେ । ଏତିକି ଚାଉଳରେ ୫୦ କୋଟି ଲୋକଙ୍କ ପେଟ ପୁରା ହୋଇଯାଇପାରିବ ।

ସୂଚନାଯୋଗ୍ୟ, ଚୀନ୍‌ରେ ସବୁଠାରୁ ଅଧିକ ଚାଉଳ ଉତ୍ପାଦନ ହୋଇଥାଏ । ଏଠାରେ ୧୪୮.୩ ନିୟୁତ ମେଟ୍ରିକ୍‌ଟନ୍‌ ଚାଉଳ ଉତ୍ପାଦନ ହୋଇଥାଏ । ଉତ୍ପାଦନରେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି । ଏଠାରେ ବାର୍ଷିକ ପ୍ରାୟ ୧୨୨.୨୭ ନିୟୁତ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ ହୋଇଥାଏ । ଇଣ୍ଡୋନେସିଆରେ ଏହା ୩୫.୩ ନିୟୁତ ମେଟ୍ରିକ ଟନ୍‌, ବାଂଲାଦେଶରେ ୩୪.୬ ନିୟୁତ ମେଟ୍ରିକ୍‌ଟନ୍‌, ଭିଏତ୍‌ନାମରେ ୨୭.୮ ନିୟୁତ ମେଟ୍ରିକ୍ ଟନ ଏବଂ ପାକିସ୍ତାନରେ ୮.୪୨ ନିୟୁତ ମେଟ୍ରିକ୍ ଟନ୍ ରହିଛି ।

“ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ’ର ବରିଷ୍ଠ କୃଷି ଅର୍ଥନୀତିଜ୍ଞ ହମନାଥ ଭଣ୍ଡାରୀ କହିଛନ୍ତି ଯେ, ଉତ୍ପାଦନ ହ୍ରାସ ଘଟିବା ନେଇ କରାଯାଇଥିବା ଅନୁମାନ ବର୍ତ୍ତମାନ କମ୍ ରହିଛି । ଯଦି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଅଧିକ ଦିନ ଧରି ଜାରି ରୁହେ ତେବେ ଚାଉଳ ଉତ୍ପାଦନରେ ୧୦%ରୁ ଅଧିକ ହ୍ରାସ ଘଟିବ । ଏହା ଏକ ଗମ୍ଭୀର ମାମଲା । କାରଣ ଖାଦ୍ୟ ଟେବୁଲରେ ପ୍ରତି ଥାଳିରେ ଏହା ରହିଥାଏ । ଖାଲି ସାର ନୁହେଁ ଡିଜେଲ ଦର ବୃଦ୍ଧି ମଧ୍ୟ ଚାଷୀଙ୍କୁ ଚିନ୍ତା ମଧ୍ୟକୁ ଆଣିଛି ।

ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ କରି ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ରୁଷ ଏବଂ ବେଲାରୁଷ ଉପରେ ଆର୍ଥିକ କଟକଣା ଲଗାଯାଇଛି । ଏହି କଟକଣା ମଧ୍ୟରେ ବିଶ୍ବ ବଜାରରେ ସାର ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି । ରୁଷ ଏବଂ ବେଲାରୁଷ, ଏହି ଦୁଇ ରାଷ୍ଟ୍ର ବିଶ୍ବ କୃଷି ଶିଳ୍ପ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାର ଭାବେ ଜଣା “ପଟାସ’ର ଅଗ୍ରଣୀ ରପ୍ତାନିକାରୀ । କରୋନା ମହାମାରୀ ମଧ୍ୟରେ ବଜାରରେ ଅସ୍ଥିରତା ଦେଖାଦେଇଥିବାବେଳେ ଏହାକୁ ଯୁଦ୍ଧ ଆହୁରି ବିକୃତ କରିଦେଇଛି । ବିଶେଷଜ୍ଞମାନଙ୍କ ମତରେ, ସାର ଦର ବୃଦ୍ଧି ବିଶ୍ୱ କ୍ଷୁଧା ମାତ୍ରାକୁ ତେଜିବ ।