ୟୁକ୍ରେନର ପୂର୍ବ ଓ ଦକ୍ଷିଣକୁ ଜୋରଦାର ଟାର୍ଗେଟ କରୁଛି ଋଷ : ଜେଲେନସ୍କି

କିଭ୍ : (ସଂକେତ ଟିଭି)ପ୍ରାୟ ୨ ମାସ ହେଲା ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଥିବା ରୁଷ ଏବେ ତା’ର ରଣନୀତି ପରବର୍ତ୍ତନ କରିବା ଆରମ୍ଭ କରିଛି । ଯୁଦ୍ଧ ଲମ୍ବା ସମୟ ଧରି ଚାଲୁଥିବାରୁ ରୁଷ ଅଲଆଉଟ ଆକ୍ରମଣ ପାଇଁ ଯୋଜନା କରୁଛି । ଏସବୁ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ୟୁକ୍ରେନର ଭବିଷ୍ୟତ ନିଷ୍ପତ୍ତି ଦେଶର ପୂର୍ବ ଓ ଦକ୍ଷିଣ ପ୍ରାନ୍ତରେ ହିଁ ହେବ । ରୁଷ ଏବେ ୟୁକ୍ରେନର ପୂର୍ବ ଓ ଦକ୍ଷିଣ ପ୍ରାନ୍ତକୁ ଦଖଲ କରିବା ପାଇଁ ଉଦ୍ୟମ କରୁଥିବାରୁ ଜେଲେନସ୍କି ଏପରି କହିଛନ୍ତି ।

ଜେଲେନସ୍କି କହିଛନ୍ତି, ଇଜୟୁମ, ଡୋନବାସ, ଅଜୋଭ ଉପକୂଳ, ମାରିୟୁପୋଲ, ଖେରସନ ଓବଲାଷ୍ଟ ଭଳି ଅଞ୍ଚଳରେ ଏହି ଯୁଦ୍ଧର ଭବିଷ୍ୟତ ରହିଛି । ଏବେ ଏହି ସବୁ ଅଞ୍ଚଳରେ ଆମ ଦେଶର ଭବିଷ୍ୟତ ନିଷ୍ପତ୍ତି ହେବ । ୟୁକ୍ରେନ ଉପରେ ରୁଷର ଆକ୍ରମଣ କେବଳ ଆରମ୍ଭ ମାତ୍ର । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷ ସେନାକୁ ପଶ୍ଚିମକୁ ଅଧିକ ପ୍ରବେଶ କରି ଅନ୍ୟ ଦେଶଗୁଡ଼ିକୁ ଦଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସବୁ ଦେଶଗୁଡ଼ିକ ଆମ ଭଳି ଚିନ୍ତା ରଖିଛନ୍ତି, ସେମାନେ ମିଳିତ ଭାବେ ଆମ ସହ ଲଢ଼େଇ କରନ୍ତୁ । ସେମାନେ ଆମକୁ ଯେମିତି ହେଲେ ବି ସହଯୋଗ କରିବା ଦରକାର । କାରଣ ଆମେ ଆକ୍ରମଣର ସମ୍ମୁଖ ଭାଗରେ ରହିଛୁ । ଆଗାମୀ ଟାର୍ଗେଟ କିଏ ହେବ, ସେକଥା କେହି ବି ଜାଣି ନାହାନ୍ତି । ରୁଷ କେବଳ ନିଜ ଦେଶରେ ହିଁ ରୁଷୀୟ ଭାଷା କହୁଥିବା ଲୋକଙ୍କ ଅଧିକାରକୁ ସୁରକ୍ଷାକୁ ନିଶ୍ଚିତ କରୁ । ରୁଷ ଏମିତି ଏକ ଦେଶ ଯେଉଁଠାରେ ବାକ ସ୍‌ୱାଧୀନତା, ସ୍‌ୱାଧୀନ ପସନ୍ଦ ଓ ମତଭେଦ ପ୍ରକାଶ କରିବାର ସୁଯୋଗ ନାହିଁ । ରୁଷରେ ଗରିବୀ ବଢ଼ୁଥିବା ବେଳେ ମାନବ ଜୀବନ ମୂଲ୍ୟହୀନ ।

ଏହାପୂର୍ବରୁ ରୁଷର ଜେନେରାଲ ଯୁଦ୍ଧ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ କ୍ରେମଲିନ କେବଳ ପୂର୍ବ ୟୁକ୍ରେନକୁ ସଂପୂର୍ଣ୍ଣ ଭାବେ ଦଖଲ କରିବାକୁ ଲକ୍ଷ୍ୟ ରଖିନି । ଦକ୍ଷିଣ ପ୍ରାନ୍ତରେ ମଧ୍ୟ ଲଢ଼େଇ ହେଉଛି । ଏହା ଦ୍ୱାରା ଟ୍ରାନ୍ସନିଷ୍ଟ୍ରିଆ ସହ ଯୋଗାଯୋଗ ହୋଇପାରିବ । ଏହି ଅଞ୍ଚଳଟି ମୋଲଡୋଭାର ପଶ୍ଚିମ ପ୍ରାନ୍ତରେ ରହିଛି । ପୂର୍ବରୁ ଏହା ମୋଲଡୋଭାରେ ଥିଲା । କିନ୍ତୁ ରୁଷ ଏହାକୁ ଦଖଲ କରିନେଇଛି । ଉକ୍ତ ସ୍ଥାନ ସହ ଯୋଗାଯୋଗ କରିବାକୁ ୟୁକ୍ରେନର ଦକ୍ଷିଣ ପ୍ରାନ୍ତ ଉପରେ ରୁଷ ନଜର ପକାଇଛି ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ଜେଲେନସ୍କି ଏମିତି ବୟାନ ଦେଇଛନ୍ତି ।