ଟି-୨୦ ଫର୍ମାଟରେ ଛୋଟ ଭୁଲ ମହଙ୍ଗା ପଡିଥାଏ : ସଚିନ ତେନ୍ଦୁଲକର

ମୁମ୍ବାଇ : (ସଂକେତ ଟିଭି) ଆଇପିଏଲରେ ୫ ଥର ଚାମ୍ପିଅନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ବର୍ଷ ଲଜ୍ଜାଜନକ ପ୍ରଦର୍ଶନ କରିଛି । ଦଳ ଗୋଟିଏ ହେଲେ ମ୍ୟାଚ୍ ଜିତି ନାହିଁ । କ୍ରମାଗତ ୭ଟି ମ୍ୟାଚ୍‌ ହାରିଲାଣି ଟିମ୍ ।ଏହାମଧ୍ୟରେ ମୁମ୍ବାଇର ମେଣ୍ଟର୍ ସଚିନ ତେନ୍ଦୁଲକର ଟି୨୦ ଫର୍ମାଟକୁ କ୍ରୁର ବା ନିର୍ଦ୍ଦୟ ବୋଲି କହିଛନ୍ତି । ଏଥିରେ ଛୋଟଛୋଟ ଭୁଲ ପରିଣାମ ବଦଳାଇଦିଏ ବୋଲି ସେ କହିଛନ୍ତି ।

ଆହୁରି ମଧ୍ୟ ଦଳକୁ ନିର୍ଣ୍ଣାୟକ ସମୟରେ ଭଲ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଚଳିତ ବର୍ଷ ଏବେସୁଦ୍ଧା ଖେଳିଥିବା ସମସ୍ତ ୭ଟି ମ୍ୟାଚ୍ ହାରିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସଚିନ । ସେ କହିଛନ୍ତି ଯେ, ମୁମ୍ବାଇ ଯେପରି ଅନୁଭଭ କରୁଛି ଆଗରୁ ସବୁ ଦଳ ଏପରି ସମୟ ଦେଇ ଗତି କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦୟ ହୋଇପାରେ । ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ସମୟ ଅନେକ ମହତ ରଖେ । ଗୋଟିଏ ଭୁଲ ମ୍ୟାଚର ଫଳାଫଳ ବଦଳାଇଦିଏ । ଅନେକ ଥର ଟିମ୍ ୨ରୁ ୩ ରନରେ ପରାସ୍ତ ହୁଏ । ଖେଳ ଶେଷ ବଲ ଯାଏଁ ଯାଇଥାଏ ।

ସେ ଆହୁରି କହିଛନ୍ତି ଯେ, ଛୋଟଛୋଟ କଥା ଉପରେ ଧ୍ୟାନ ଦେବା ଜରୁରୀ । ଛୋଟ ଭୁଲ ସୁଧାରିଲେ ନିର୍ଣ୍ଣାୟକ ସମୟରେ ମ୍ୟାଚ୍ ଜିତି ହେବ । ଯୁବ ଖେଳାଳିଙ୍କୁ ଅଳ୍ପ ସମୟ ଲାଗିବ । ତେବେ ମୁମ୍ବାଇ ଖେଳାଳି ଖୁବ୍‌ ପରିଶ୍ରମ କରୁଥିବା ସେ କହିଛନ୍ତି ।