ଆହୁରି ମହଙ୍ଗା ହେବ ଖାଇବା ତେଲ

ନୂଆଦିଲ୍ଲୀ : (ସଂକେତ ଟିଭି) ତେଲ ଏବଂ ଖାଦ୍ୟ ସାମଗ୍ରୀର ଦାମ୍ ଇଣ୍ଡୋନେସିଆରେ ବୃଦ୍ଧି ପାଇଛି । ଏହା ଉପରେ ଲଗାମ ଲଗାଇବା ପାଇଁ ଇଣ୍ଡୋନେସିଆ ତାଳ ତେଲ ରପ୍ତାନି ଉପରେ କଟକଣା ଲଗାଇଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଘୋଷଣା କରିବା ପରେ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଚଳିତମାସ ୨୮ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ ।

ଇଣ୍ଡୋନେସିଆ ବିଶ୍ୱରେ ତାଳ ତେଲର ଏକ ପ୍ରମୁଖ ଉତ୍ପାଦନ ଏବଂ ରପ୍ତାନିକାରୀ ଦେଶ । ତେଣୁ ଇଣ୍ଡୋନେସିଆ ସରକାରଙ୍କ ଏଭଳି ନିଷ୍ପତ୍ତି ଆଗାମୀ ଦିନରେ ବିଶ୍ୱରେ ଖାଇବା ତେଲ ଦାମକୁ ଆହୁରି ବଢ଼ାଇ ଦେବା ଆଶଙ୍କା ସୃଷ୍ଟି ହୋଇଛି । ବିଶେଷକରି ଭାରତରେ ତେଲ ଦାମ ବଢ଼ିବା ଆଶଙ୍କା ରହିଛି । ୟୁକ୍ରେନ ଉପରେ ରୁଷ୍ ସାମରିକ କାର୍ଯ୍ୟାନୁଷ୍ଠାନ ନେବା ପରେ ସୂର୍ଯ୍ୟମୁଖୀ ତେଲ ଯୋଗାଣ ବ୍ୟାହତ ହୋଇଛି । ଏହାର ପ୍ରଭାବରେ ତେଲଦାମ ବଢ଼ିଛି ।

ବର୍ତ୍ତମାନ ଇଣ୍ଡୋନେସିଆ ସରକାରଙ୍କ ଏଭଳି ନିଷ୍ପତ୍ତି ଖାଇବା ତେଲର ଦରଦାମକୁ ଆହୁରି ବଢ଼ାଇ ଦେଇପାରେ ବୋଲି ଆକଳନ କରାଯାଇଛି । ସୂର୍ଯ୍ୟମୁଖୀ ତେଲ ଯୋଗାଣ ବ୍ୟାହତ ହେବା ପରେ ବ୍ୟବସାୟୀମାନେ ତାଳ ତେଲ ଆମଦାନି ଉପରେ ଅଧିକ ନିର୍ଭର କରୁଥିଲେ । କିନ୍ତୁ ଇଣ୍ଡୋନେସିଆର ଏଭଳି ନିଷ୍ପତ୍ତି ସେମାନଙ୍କୁ ଚିନ୍ତାରେ ପକାଇଛି । ବିଶ୍ୱର ଦ୍ୱିତୀୟ ବୃହତ୍ ତାଳ ତେଲ ଉତ୍ପାଦନକାରୀ ଏବଂ ରପ୍ତାନିକାରୀ ଦେଶ ମାଲେସିଆ ଏହି ଅଭାବକୁ ପୂରଣ କରିବାରେ ସମର୍ଥ ହେବନାହିଁ ।

ଭାରତରେ ପାଇକାରୀ ବଜାରରେ ତାଳ ତେଲ ଦର ଲିଟର ପିଛା ପ୍ରାୟ ୧୫୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ସୋରିଷ ତେଲ ୧୬୫ ଟଙ୍କା ଏବଂ ସୂର୍ଯ୍ୟମୁଖୀ ତେଲ ୧୭୫ ଟଙ୍କାରେ ବିକ୍ରି ହେଉଛି ।