୧୦ ବର୍ଷରେ ଭାରତର ୧୭ ଲକ୍ଷ ଲୋକଙ୍କୁ ଏଡସ୍‌

ନୂଆଦିଲ୍ଲୀ : (ସଂକେତ ଟିଭି) ଗତ ୧୦ ବର୍ଷ ମଧ୍ୟରେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ହେତୁ ଦେଶରେ ୧୭ ଲକ୍ଷରୁ ଅଧିକ ଲୋକ ଏଚ୍‌ଆଇଭିର ଶିକାର ହୋଇଛନ୍ତି । ସୂଚନା ଅଧିକାରରେ ଜାତୀୟ ଏଡସ୍‌ ନିୟନ୍ତ୍ରଣ ସଂଗଠନ ପକ୍ଷରୁ ମିଳିଥିବା ଉତ୍ତରରେ କିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି ଅବଶ୍ୟ, ଏହି ସମୟ ମଧ୍ୟରେ ଏଚ୍‌ଆଇଭି ସଂକ୍ରମିତ ଲୋକଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ଅସୁରକ୍ଷିତ ଯୌନ ସମ୍ପର୍କ ମାଧ୍ୟମରେ ଏଚ୍‌ଆଇଭି ସଂକ୍ରମଣ ୨୦୧୧-୧୨ ରେ ୨.୪ ଲକ୍ଷ ଲୋକଙ୍କ ମଧ୍ୟରେ ହୋଇଥିବା ବେଳେ ୨୦୨୦-୨୧ ରେ ଏହି ସଂଖ୍ୟା ୮୫,୨୬୮କୁ ହ୍ରାସ ପାଇଛି ।

ମଧ୍ୟପ୍ରଦେଶର ଚନ୍ଦ୍ରଶେଖର ଗୌରଙ୍କ ଦ୍ୱାରା ଏହି ଆରଟିଆଇ ଦାଖଲ କରାଯାଇଥିଲା । ତଥ୍ୟ ମୁତାବକ ରାଜ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୩ ଲକ୍ଷ ୧୮ ହଜାର ୮୨୪ ମାମଲା ରେକର୍ଡ ହୋଇଥିବାବେଳେ ଏହା ପଛକୁ ମହାରାଷ୍ଟ୍ର (୨,୮୪,୫୭୭), କର୍ଣ୍ଣାଟକ ( ୨,୧୨,୯୮୨), ତାମିଲନାଡୁ (୧,୧୬,୫୩୬), ଉତ୍ତରପ୍ରଦେଶ (୧,୧୦,୯୧୧) ଏବଂ ଗୁଜୁରାଟ (୮୭,୪୪୦)ରେ ଏଚଆଇଭି ପଜିଟିଭ ଅଛନ୍ତି ।

ଏହା ବ୍ୟତୀତ ୨୦୧୧-୧୨ରୁ ୨୦୨୦-୨୧ ମଧ୍ୟରେ ୧୫,୭୮୨ ଲୋକ ରକ୍ତ ମାଧ୍ୟମରେ ସଂକ୍ରମିତ ହୋଇଥିଲେ । ଏଥିସହ ୪ ହଜାର ୪୨୩ ପିଲାଙ୍କୁ ଏହି ସଂକ୍ରମଣ ସେମାନଙ୍କ ମା’ଙ୍କ ଠାରୁ ବ୍ୟାପିଛି । ତଥ୍ୟ ଅନୁଯାୟୀ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏଚ୍‌ଆଇଭି ସଂକ୍ରମଣରେ କ୍ରମାଗତ ହ୍ରାସ ଘଟିଛି । ୨୦୨୦ ସୁଦ୍ଧା ଦେଶରେ ମୋଟ ୨୩,୧୮,୭୩୭ ଜଣ ଏଚଆଇଭି ପଜିଟିଭ ଅଛନ୍ତି, ଯେଉଁଥିରେ ୮୧ ହଜାର ୪୩୦ ଜଣ ପିଲା ଅଛନ୍ତି ।