ଇଲେକ୍ଟ୍ରିକ୍ ବାଇକ୍‌ର ବ୍ୟାଟେରୀ ଫାଟି ସ୍ୱାମୀ ମୃତ, ସ୍ତ୍ରୀ ଓ ଦୁଇ ଛୁଆ ଆହତ

ବିଜୟଓ୍ବାଡା : (ସଂକେତ ଟିଭି) ଇଲେକ୍ଟ୍ରିକ୍ ବାଇକ୍‌କୁ ନେଇ ପୁଣି ଗୋଟିଏ ଅଘଟଣ ଘଟିଛି । ଏକ ଇଲେକ୍ଟ୍ରିକ୍ ବାଇକ୍‌ର ବ୍ୟାଟେରୀ ଫାଟି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଆହତ ହୋଇଛନ୍ତି । ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ସହରରେ ଘଟିଛି ଏହି ଘଟଣା । ମୃତ ବ୍ୟକ୍ତି ଜଣଙ୍କ ହେଲେ କେ. ଶିବ କୁମାର । ଶିବ କୁମାରଙ୍କ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ଡାକ୍‌ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଦୁଇ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି ।

କେ. ଶିବ କୁମାର ଡିଟିପି ଅପରେଟର ଭାବେ କାମ କରୁଥିଲେ । ଶୁକ୍ରବାର ଦିନ ଶିବ କୁମାର ଏହି ଇଲେକ୍ଟ୍ରିକ୍ ବାଇକ୍ କିଣିଥିଲେ । ସେହିଦିନ ରାତିରେ ଗାଡ଼ିର ବ୍ୟାଟେରୀକୁ ସେ ଶୋଇବା ଘରେ ଚାର୍ଜରେ ବସାଇଥିଲେ । ଭୋର ସମୟରେ ହଠାତ୍ ବ୍ୟାଟେରୀଟି ଫାଟି ଯିବାରୁ ଘର ଭିତରେ ନିଆଁ ଲାଗି ଯାଇଥିଲା । ଶିବ କୁମାରଙ୍କ ଘରୁ ଧୂଆଁ ବାହାରୁଥିବା ପାଖ ପଡ଼ୋଶୀମାନେ ଦେଖିଥିଲେ । ସେମାନେ କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଶିବ କୁମାରଙ୍କୁ ଆମ୍ୱୁଲାନ୍ସରେ ଡାକ୍ତରଖାନା ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଲା ।

ଘରେ ନିଆଁ ଲାଗିଯିବା ଯୋଗୁଁ ଏସି ସହିତ ଆଉ କିଛି ଆସବାବପତ୍ର ପୋଡ଼ି ଯାଇଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଛନ୍ତି । ଇଭି କମ୍ପାନୀ ସହିତ କଥାବାର୍ତ୍ତା ହୋଇଛି । ସେମାନେ ଘଟଣାସ୍ଥଳ ପରିଦର୍ଶନ କରି ବ୍ୟାଟେରୀଟି କାହିଁକି ଫାଟିଲା, ତା’ର ଯାଞ୍ଚ କରିବେ । ବିଦ୍ୟୁତ୍ ଶର୍ଟସର୍କିଟ୍‌ ଯୋଗୁ ବ୍ୟାଟେରୀ ଫାଟିଲା, ନା ଆଉ କିଛି ଘଟିଛି, ତା’ର ତଦନ୍ତ ସେମାନେ କରିବେ ।

ସୂଚନାଯୋଗ୍ୟ, ଗତ ବୁଧବାର ରାତିରେ ତେଲେଙ୍ଗାନାର ନିଜାମାବାଦରେ ଏକ ଲେକ୍ଟ୍ରିକ୍ ବାଇକ୍‌ର ବ୍ୟାଟେରୀ ଫାଟି ଯିବାରୁ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାରର ଆଉ ତିନି ଜଣ ଆହତ ହୋଇଥିଲେ ।