ପାକିସ୍ତାନରେ ବିଦ୍ୟୁତ ସଂକଟ, ଦୈନିକ ହେଉଛି ୧୫ ଘଣ୍ଟା ବିଦ୍ୟୁତ୍‌କାଟ୍‌

ଇସଲାମାବାଦ୍ : (ସଂକେତ ଟିଭି)ପାକିସ୍ତାନର ଆର୍ଥିକ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ଆର୍ଥିକ ଅବସ୍ଥା ଦୁର୍ବଳ ରହିଥିବାରୁ ଦରଦାମରେ ସାଂଘାତିକ ବୃଦ୍ଧି ଘଟିଛି । ଦରଦାମ ବୃଦ୍ଧିକୁ ନେଇ ପାକିସ୍ତାନବାସୀ ଘୋର ଦୁର୍ଦ୍ଦିନ ଭିତରେ ଗତି କରୁଥିବାବେଳେ ଏବେ ଦୈନିକ ୧୫ ଘଣ୍ଟାରୁ ଊର୍ଦ୍ଧ୍ୱ ଧରି ବିଦ୍ୟୁତ୍ କାଟ ସେମାନଙ୍କୁ ଅତିଷ୍ଠ କରି କାଇଛି । ପ୍ରବଳ ଗରମ ଓ ଅନ୍ଧାରରେ କଲବଲ ହେଉଛନ୍ତି ପାକିସ୍ତାନବାସୀ । ତେବେ ଦେଶରେ ପ୍ରତ୍ୟେକ ଦିନ ୮ ରୁ ୧୫ ଘଣ୍ଟା ବିଦ୍ୟୁତ୍‌କାଟ କରାଯାଉଛି ।

କରାଚି, ଲାହୋର, ରାଉଲପିଣ୍ଡି, ପେଶୱାର ସମେତ ପାକିସ୍ତାନର ଅନେକ ସହରବାସୀ ବିଦ୍ୟୁତ୍‌କାଟ ଜନିତ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ନେସନାଲ ଗ୍ରୀଡ୍‌ରୁ ୩୦୦ ମେଗାୱାଟ୍‌ ବିଦ୍ୟୁତ୍ ଯୋଗାଣରେ ବ୍ୟାହତ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ପାକିସ୍ତାନ ବିଦ୍ୟୁତ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାକ୍‌ ଅଧିକୃତ ପଞ୍ଜାବ ସହରାଞ୍ଚଳରେ ଦୈନିକ ୮ରୁ ୯ ଘଣ୍ଟା ବିଦ୍ୟୁତ୍ କାଟ ହେଉଥିବାବେଳେ ଏହାର ଗ୍ରାମାଞ୍ଚଳ ଗୁଡ଼ିକରେ ଦୈନିକ ୧୦ରୁ ୧୫ ଘଣ୍ଟା ବିଦ୍ୟୁତ୍ କାଟ କରାଯାଉଛି ।

ପାକିସ୍ତାନ ଶକ୍ତି ବିଭାଜନ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଦେଶରେ ଏବେ ୧୯ ହଜାର ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ଆବଶ୍ୟକ ହେଉଥିବାବେଳେ ଉତ୍ପାଦନ ହେଉଛି ମାତ୍ର ୧୭ ହଜାର ମେଗାୱାଟ୍ । ଯେତେବେଳେ କି ମଧ୍ୟାହ୍ନ ଓ ସନ୍ଧ୍ୟାରେ ଏହି ଆବଶ୍ୟକତା ୨୧ ହଜାର ମେଗାୱାଟ୍‌କୁ ବୃଦ୍ଧି ପାଉଛି । ଫଳରେ ପାକିସ୍ତାନ ସରକାର ବାଧ୍ୟହୋଇ ବିଦ୍ୟୁତ୍‌କାଟ କରୁଥିବା କୁହାଯାଉଛି ।

ତେବେ ପାକିସ୍ତାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଏ କ୍ଷେତ୍ରରେ କି ପଦକ୍ଷେପ ନେଉଛନ୍ତି ତାକୁ ଦେଶବାସୀ ଅପେକ୍ଷା କରିଛନ୍ତି । ଯଦି ସମସ୍ୟାର ସମାଧାନ ତୁରନ୍ତ କରାନଯାଏ ତେବେ ପାକିସ୍ତାନବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବିରୋଧୀଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।