ବଦଳିବ ନନ୍ଦନକାନନ କଳେବର, ବ୍ୟୟ ହେବ ୬୦୦ କୋଟି

ଭୁବନେଶ୍ବର : (ସଂକେତ ଟିଭି) ଦେଶର ସର୍ବବୃହତ୍‌ ସବୁଜିମାଭରା ଚିଡ଼ିଆଖାନା ନନ୍ଦନକାନନର କଳେବର ବଦଳିବ । ବଢ଼ିବ ଏହାର ପରିସର । ଏଥିପାଇଁ ବ୍ୟୟ ହେବ ୬୦୦ କୋଟି ଟଙ୍କା । ଏନେଇ ପ୍ରସ୍ତୁତ ହୋଇଥିବା ନୂଆ ମାଷ୍ଟରପ୍ଲାନ୍‌କୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ।

ବର୍ତ୍ତମାନ ନନ୍ଦନକାନନର ପରିସର ୪୩୧ ହେକ୍ଟର ରହିଥିବାବେଳେ ଏହା ବୃଦ୍ଧି ପାଇ ୧୦୪୭ ହେକ୍ଟରରେ ପହଞ୍ଚିବ । ତେବେ ଚିଡ଼ିଆଖାନା, କାଞ୍ଜିଆ ହ୍ରଦ ଏବଂ ବଟାନିକାଲ ଗାର୍ଡନ ଏହା ପରିସରରେ ଯାଉଥିବାବେଳେ ଆଗକୁ ପରିବର୍ତ୍ତିତ ଯୋଜନାରେ ଚନ୍ଦକା ଜଙ୍ଗଲ, ଚୂଡ଼ଙ୍ଗ ଓ କୃଷ୍ଣନଗରର ସଂରକ୍ଷିତ ଅଞ୍ଚଳକୁ ସାମିଲ କରାଯିବାର ଯୋଜନା ରଖାଯାଇଛି । ନୂଆ ଯୋଜନା କାର୍ଯ୍ୟକାରୀ ହେଲେ ବର୍ଷକୁ ୩୫ ଲକ୍ଷ ପର୍ଯ୍ୟଟକ ଆସିବାର ଆଶା କରାଯାଉଛି । ଏହାଛଡ଼ା ଏହି ଚିଡ଼ିଆଖାନାକୁ ଆସିବେ ଅଧିକ ଜୀବଜନ୍ତୁ ।

ରାଜଧାନୀ ଉପକଣ୍ଠରେ ଥିବା ଏହି ଚିଡ଼ିଆଖାନା ପରିସରକୁ ଦୁଇଗୁଣରୁ ଅଧିକ କରିବାପାଇଁ ଲକ୍ଷ୍ୟ ରଖାଯାଇଛି । ଚନ୍ଦନା ବନ୍ୟଜନ୍ତୁ ଅଭୟାରଣ୍ୟରୁ ସୃଷ୍ଟି ହୋଇଥିବା ନନ୍ଦନକାନନରେ ଚନ୍ଦକାକୁ ପୁଣି ଥରେ ସାମିଲ କରାଯିବ । ବନବିଭାଗ ଓ ଚିଡ଼ିଆକାନା କର୍ତ୍ତୃକ୍ଷଙ୍କ ମାଷ୍ଟର ପ୍ଲାନ୍‌କୁ ମଂଜୁରି ମିଳିବା ପରେ ପରିବେଶବିତ୍‌ମାନେ ଏହାକୁ ସ୍ୱାଗତ କରିଛନ୍ତି ।

ବନ୍ୟଜନ୍ତୁମାନଙ୍କୁ ନନ୍ଦନକାନନ ଓ ଭରତପୁର ସଂରକ୍ଷିତ ଜଂଗଲରେ ଖୋଲା ବିଚରଣ କରିବା ନିମନ୍ତେ ସୁଯୋଗ ମିଳିବ । ଏବେ ନନ୍ଦନକାନନ ଚିଡ଼ିଆଖାନାରେ କାଞ୍ଜିଆ ହ୍ରଦ ଓ ବଟାନିକାଲ ଗାର୍ଡେନ୍ ରହିଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ଚନ୍ଦକା ଅଞ୍ଚଳରେ ନିର୍ମାଣ କରାଯିବ ଜଙ୍ଗଲ ସଫାରି । ଚନ୍ଦକା ଓ ଚୂଡଙ୍ଗ ଅଞ୍ଚଳରେ ୨୦୦ ହରିଣକୁ ଛଡ଼ାଯିବ । ଚିଡ଼ିଆଖାନା ପରିସର ବାହାରେ ମଲ୍‌ଟିଲେଭଲ ପାର୍କିଂ ସହ ନୂତନ ଅତ୍ୟାଧୁନିକ ବସଷ୍ଟାଣ୍ଡ ଓ ଫୁଡ୍‌କୋର୍ଟ ନିର୍ମାଣ କରାଯିବ ।

ବନବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏବେ ଇକୋ ଟୁରିଜିମ୍‌ର ଆଦୃତି ବୃଦ୍ଧି ପାଉଥିବାବେଳେ ନନ୍ଦନକାନନର କଳେବର ବୃଦ୍ଧି ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।