ଆମେରିକା ଚାହେଁ ରୁଷ ଅଧିକ ଦୁର୍ବଳ ହେଉ

ନୂଆଦିଲ୍ଲୀ : (ସଂକେତ ଟିଭି)ରୁଷ୍‌-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇ ଦୀର୍ଘ ୨ ମାସରୁ ଅଧିକ ବିତିସାରିଲାଣି । ତେବେ ଏହାରି ମଧ୍ୟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ ରୁଷ୍‌ର ନିଦ ହଜାଇ ଦେଇଛି । ରୁଷର ଯୁଦ୍ଧଖୋର ମନୋଭାବକୁ ନେଇ ଆମେରିକା ସମେତ ବିଶ୍ୱର ବହୁ ରାଷ୍ଟ୍ର ରୁଷ୍‌ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଏସବୁ ଖାତିର୍ ନକରି ରୁଷ ଯେଭଳି ଦିନକୁ ଦିନ ଉଗ୍ର ହୋଇଚାଲିଛି ତାହାଦ୍ୱାରା ଆଗାମୀ ଦିନରେ ଏହାର କୁରିଣାମ କେବଳ ହିଁ ରୁଷ୍ ଭୋଗିବ ବୋଲି ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲୟଡ୍ ଅଷ୍ଟିନ୍ ବୟାନ ଦେଇଛନ୍ତି ।

ନିକଟରେ କିଭ୍‌ରୁ ଫେରିଥିବା ଅଷ୍ଟିନ କହିଛନ୍ତି ଯେ ରୁଷ ଅଧିକରୁ ଅଧିକ ଦୁର୍ବଳ ହୋଇଯାଉ ଏହା ଆମେରିକା ଚାହେଁ । ଯଦ୍ୱାରା କି ରୁଷ ଆଗାମୀ ଦିନରେ ଅନ୍ୟ କେଉଁ ଦେଶ ସହ ଯୁଦ୍ଧ କରିବାକୁ ସାହାସ କରିବ ନାହିଁ । ତେବେ ୟୁକ୍ରେନ୍‌କୁ ନେଇ ଅଷ୍ଟିନ୍‌ କହିଛନ୍ତି କି ଏହି ଯୁଦ୍ଧରେ ୟୁକ୍ରେନ୍‌ର ବିଜୟ ହେବ । ଯଦି ୟୁକ୍ରେନକୁ ଆଶାନୁଯାୟୀ ଯୁଦ୍ଧ ସରଞ୍ଜମ ଯୋଗାଇ ଦିଆଯାଏ ତେବେ ରୁଷ୍‌କୁ ମାତ୍ ଦେବାକୁ ୟୁକ୍ରେନ୍ ସକ୍ଷମ ହେବ । କିନ୍ତୁ ଜିତିବା ପାଇଁ ୟୁକ୍ରେନ୍ ସୈନ୍ୟ ତଥା ୟୁକ୍ରେନବାସୀଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ରହିବା ଅତି ଆବଶ୍ୟକ । ଏହି ବିଶ୍ୱାସରେ ହିଁ ସେମାନେ ଲଢ଼େଇ କରୁଥିବା ଅଷ୍ଟିନ କହିଛନ୍ତି ।

ଅଷ୍ଟିନଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିନକେନ କିଭ୍ ଯାଇ ସେଠାରେ ୟୁକ୍ରେନ୍ ଓ ଆମେରିକା ମଧ୍ୟରେ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହୋଇଛନ୍ତି । ଆମେରିକା କୂଟନୀତିଜ୍ଞମାନେ ଚଳିତ ମାସରୁ ନିୟମିତ ଭାବେ ୟୁକ୍ରେନ ଯିବେ । ସେହିପରି ୟୁକ୍ରେନ ପାଇଁ ଆମେରିକାର ସରକାର ୭୦୦ ମିଲିୟନ ଡଲାରର ଅତିରିକ୍ତ ସାମରିକ ସହାୟତା ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଚାଲିଥିବା ଏହି ଯୁଦ୍ଧରେ କେବଳ ଯେ ୟୁକ୍ରେନ୍ କ୍ଷତି ସହିଛି ତା’ନୁହେଁ ବରଂ ରୁଷ୍ ବିପୁଳ ଯୁଦ୍ଧ ସରଞ୍ଜାମ ସହ ବହୁ ସଂଖ୍ୟାରେ ଯବାନଙ୍କୁ ହରାଇ ସାରିଛି । ଯଦି ଆଉ କିଛିଦିନ ଏହି ଯୁଦ୍ଧ ଲାଗିରହେ ତେବେ ରୁଷ୍ ବହୁକ୍ଷେତ୍ରରେ ଦୁର୍ବଳ ହୋଇଯିବ ବୋଲି ଅଷ୍ଟିନ୍ କହିଛନ୍ତି ।