ସାଙ୍ଘାଇରେ ତାଲାବନ୍ଦ, ଲୋକେ ପଶୁ ଭଳି ବନ୍ଦୀ

ବେଜିଂ : (ସଂକେତ ଟିଭି)ଚୀନର ସାଙ୍ଘାଇ ସହରରେ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା ତାଲାବନ୍ଦକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ଯେପରି ଘର ନ ବାହାରି ପାରିବେ ସେଥିଲାଗି ପ୍ରଶାସନ ସହରର ପ୍ରତି ଗଳିକନ୍ଦିରେ ଲୁହା ବାଡ ପକାଇଛି । ପ୍ରତି ଆପାର୍ଟମେଣ୍ଟ ପ୍ରବେଶ ପଥରେ ୨ମିଟର ଉଚ୍ଚର ବାଡ ପକାଯାଇଛି । ସେହିପରି ପ୍ରତି ଗଳି ଓ କନ୍ଦିର ପ୍ରବେଶ ଓ ପ୍ରସ୍ଥାନ ରାସ୍ତାକୁ ୨ମିଟର ଉଚ୍ଚର ଲୁହାବାଡ ପକାଯାଇଛି । ପ୍ରଶାସନର ଏପରି କାର୍ଯ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଏହା ବିରୋଧରେ ଲୋକେ ପ୍ରତିବାଦ କରିଛନ୍ତି ।

ୱିବୋ ସୋସିଆଲ ମିଡିଆର ଜଣେ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଲୁହାବାଡ ମଧ୍ୟରେ ଆବଦ୍ଧ କରାଯାଇ ପଶୁ ଭଳି ରଖାଯାଇଛି । ୨.୫କୋଟି ଜନସଂଖ୍ୟା ବିଶିଷ୍ଟ ସହରରେ ମାସାଧିକ କାଳ ତାଲାବନ୍ଦ କଟକଣା ଲାଗୁ କରାଯାଇଛି । ଲୋକେ ଖାଦ୍ୟ ଓ ଅତ୍ୟାବଶ୍ୟକ ଜିନିଷ ପାଇପାରୁ ନାହାନ୍ତି । ଏହାକୁ ନେଇ ପୂର୍ବରୁ ମଧ୍ୟ ସହରବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।