ମୁମ୍ବାଇ ଇଣ୍ଡିଆନ୍ସରୁ ଇଶାନ କିଷନଙ୍କ ହୋଇପାରେ ଛୁଟି

ନୂଆଦିଲ୍ଲୀ : (ସଂକେତ ଟିଭି) ଚଳିତ ଆଇପିଏଲରେ ମୁମ୍ବାଇର ଲଜ୍ଜାଜନକ ପରାଜୟଧାରା ଜାରି ରହିଛି । ଦଳ ଖେଳିଥିବା ସମସ୍ତ ୮ଟି ମ୍ୟାଚ୍ ହାରି ସାରିଛି । ଚିନ୍ତାରେ ଦଳ ପ୍ରବନ୍ଧକ ଏବଂ ନିରାଶରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକ । ନିଜ ବ୍ୟାଟସମ୍ୟାନଙ୍କ କ୍ରମାଗତ ବିଫଳତା ପରେ ବ୍ୟାଟିଂ କ୍ରମରେ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି ଦଳର କୋଚ୍ ମୋହେଲା ଜୟବର୍ଦ୍ଧନେ । ସେ ଓପନିଂ ବ୍ୟାଟସମ୍ୟାନ ଇଶାନ କିଷନଙ୍କ ଖରାପ ଫର୍ମ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ରେକର୍ଡ ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ ପ୍ରିମିୟର ଲିଗ୍ ଇତିହାସରେ ନିଜର ଶୋଚନୀୟ ଅବସ୍ଥା ଦେଇ ଗତି କରୁଛି । ରବିବାର ଦଳ ଲକ୍ଷ୍ନୌ ସୁର ଜିଆଣ୍ଟ୍ସଠୁ ୩୬ ରନରେ ପରାଜିତ ହୋଇଛି ।

ଜୟବର୍ଦ୍ଧନେ କହିଛନ୍ତି, ଦଳର ଏମିତି ଅବସ୍ଥାର ସମୀକ୍ଷା କରିବା ଏବଂ କୌଣସି ରଣନୀତି ପ୍ରସ୍ତୁତ କରିବା ପୂର୍ବରୁ ଅନ୍ୟ କୋଚଙ୍କ ସହ ଆଲୋଚନା କରିବାକୁ ପଡିବ । ବ୍ୟାଟିଂ ହିଁ ଦଳ ପାଇଁ ଚିନ୍ତାର ବିଷୟ । ବିଶେଷ କରି ଭଲ ୱିକେଟରେ ବ୍ୟାଟସମ୍ୟାନମାନେ ଆଖିଦୃଶିଆ ପ୍ରଦର୍ଶନ କରିନପାରିବା ସବୁଠୁ ପରିତାପ ଏବଂ ଚିନ୍ତାଜନକ । ଦଳରେ ଅନୁଭବୀ ବ୍ୟାଟସମ୍ୟାନ ଅଛନ୍ତି ଏବଂ ପରିସ୍ଥିତି ସହ ସେମାନେ ବେଶ ଭଲ ଭାବେ ଅବଗତୟ ଆମକୁ ଏହି ପରିସ୍ଥିତିରୁ ମୁକୁଳି ଆଗକୁ ବଢିବାକୁ ପଡିବ ଏବଂ ଆବଶ୍ୟକ ପଡିଲେ ଦଳରେ ପରିବର୍ତ୍ତନ କରାଯିବ ବୋଲି କୋଚ୍‌ ଜୟବର୍ଦ୍ଧନେ କହିଛନ୍ତି ।

ବ୍ୟାଟିଂକ୍ରମରେ ନିରନ୍ତରତା ବଜାୟ ରଖିବା ପାଇଁ ଆମେ ଦଳରେ ସେତେ ଅଧିକ ପରିବର୍ତ୍ତନ କରିନୁ । ପ୍ରଥମେ ବ୍ୟାଟିଂ ହେଉ କି ଲକ୍ଷ୍ୟ ପିଛା ହେଉ ଆମ ପ୍ରଦର୍ଶନରେ ନିରନ୍ତରତାର ଅଭାବ ରହିଥିବା ଜୟବର୍ଦ୍ଧନେ କହିଛନ୍ତି । କୋଚ୍ ଇଶାନ କିଷନଙ୍କ ସହ ଆଲୋଚନା କରିବାର ସଙ୍କେତ ଦେଇଛନ୍ତି । ଇଶାନ ପ୍ରଥମ ଦୁଇଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ପରେ ଏବେ ପ୍ରତିଟି ରନ ପାଇଁ ସଂଘର୍ଷ କରୁଛନ୍ତି ।

କୋଚ୍ କହିଛନ୍ତି, ଆମେ ତାଙ୍କୁ ସ୍ୱାଭାବିକ ଖେଳ ଖେଳିବାକୁ ଅନୁମତି ଦେଇଥିଲୁ । ମୁଁ ଆଜି ଯାଏ ତାଙ୍କ ସହ କଥା ହୋଇ ନାହିଁ । ମାତ୍ର ମୁଁ ଶୀଘ୍ର ଇଶାନ କିଷନଙ୍କ ସହ କଥା ହେବି ବୋଲି ଜୟବର୍ଦ୍ଧନେ କହିଛନ୍ତି । ସୂଚନାଯୋଗ୍ୟ, ମୁମ୍ବାଇ ଏଥର ଖେଳାଳିଙ୍କ ମେଗା ନିଲାମରେ କିଷନଙ୍କୁ ୧୫.୨୫ କୋଟି ଟଙ୍କା ଦେଇ କିଣିଥିଲା । ଅଧିନାୟକ ରୋହିତ ଶର୍ମା ମଧ୍ୟ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ସେହିପରି ଅନୁଭବୀ କିରଣ ପୋଲାର୍ଡ ମଧ୍ୟ ଦଳକୁ ବହୁତ ନିରାଶ କରିଛନ୍ତି ।