ପାୱାରକଟ୍ ନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : (ସଂକେତ ଟିଭି) ଚଳିତ ବର୍ଷ ଏପ୍ରିଲ ମାସରେ ଅପେକ୍ଷାକୃତ ଅଧିକ ଓ ଗ୍ରୀଷ୍ମ ପ୍ରବାହ ଏବଂ ଆଗାମୀ ବୋର୍ଡ ଓ +୨ ପରୀକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟରେ ବିଦ୍ୟୁତ ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି । ପରୀକ୍ଷା ଓ ତାତି ଦୃଷ୍ଟିରୁ ପାୱାରକଟ୍ ନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍‌ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ଓ ବଣ୍ଟନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଗ୍ରୀଡକୋ, ଓ.ପି.ଟି.ସି.ଏଲ୍‌., ଓଡ଼ିଶା ଜଳ ବିଦ୍ୟୁତ ନିଗମ, ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମଙ୍କ ସମେତ ବିଭିନ୍ନ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଓ କଂପାନୀମାନେ ବିଦ୍ୟୁତ ବଣ୍ଟନ ବିଷୟରେ ସଦ୍ୟତନ ତଥ୍ୟ ଜଣାଇଥିଲେ ।

ସ୍ଥିତିର ସମୀକ୍ଷା କରି ଗ୍ରୀଷ୍ମ ପ୍ରବାହ ଏବଂ ପିଲାମାନଙ୍କର ପରୀକ୍ଷା ଦୃଷ୍ଟିରୁ ଘରୋଇ ଉପଭୋକ୍ତା, ଶିକ୍ଷାନୁଷ୍ଠାନ, ପରୀକ୍ଷା କେନ୍ଦ୍ର ଆଦିକୁ ବିଦ୍ୟୁତ ଯୋଗାଣ କାଟ ନକରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବିଦ୍ୟୁତ ବିତରକ କଂପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ୟବସାୟିକ ପ୍ରତିଷ୍ଠାମାନଙ୍କୁ ମଧ୍ୟ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟୁତ ଦେୟ ପୈଠ ହୋଇନଥିବା କାରଣରୁ କୌଣସି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ନକାଟିବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଜଳଜାତ ବିଦ୍ୟୁତର ସଠିକ ପରିଚାଳନା ଓ ଉପଯୋଗ କରି ଏହି ସବୁ ଉପଭୋକ୍ତାଙ୍କୁ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଏହାଛଡା ରାଜ୍ୟରେ ବିଦ୍ୟୁତ ଉତ୍ପାଦନକାରୀ କଂପାନୀମାନଙ୍କୁ ଉନ୍ନତ୍ତମାନର କୋଇଲା ଯୋଗାଣ ଅବ୍ୟାବହତ ରଖିବାକୁ ଏମ୍‌.ସି.ଏଲ୍‌. ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।