ରାଜ୍ୟରେ ନିର୍ମାଣ ହେବ ୫୨ ମଡେଲ ମଣ୍ଡି

ଭୁବନେଶ୍ବର : (ସଂକେତ ଟିଭି) କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଖରିଫ ଓ ରବିଧାନ ସମେତ ବିଭିନ୍ନ କୃଷିଜାତ ଦ୍ରବ୍ୟ ସଂଗୃହୀତ ହେଉଥିବା ମଣ୍ଡିଗୁଡ଼ିକର ଭିତିଭୂମିର ବିକାଶ କରାଯାଇ ମଡେଲ ମଣ୍ଡି ସ୍ଥାପନ କରାଯାଉଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମଡେଲ ମଣ୍ଡି ଓ ବହୁମୁଖୀ ଗୋଦାମ ଗୃହ ନିର୍ମାଣ ସଂପର୍କରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ମଡେଲ ମଣ୍ଡି ନିର୍ମାଣ ଦ୍ୱାରା ମଣ୍ଡିର କାର୍ଯ୍ୟଦକ୍ଷତାରେ ପ୍ରଭୂତ ଉନ୍ନତି ଆସିପାରିବ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫୨ଟି ମଡେଲ୍‌ ମଣ୍ଡି ନିର୍ମାଣ କରାଯିବ । ଅଧିକ ଧାନସଂଗ୍ରହ ହେଉଥିବା ଜିଲ୍ଲା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ଦେବଗଡ଼, ମୟୂରଭଞ୍ଜ, କୋରାପୁଟ ଏବଂ ରାୟଗଡ଼ା ଆଦି ଜିଲ୍ଲାକୁ ପ୍ରାଥମିକତା ପ୍ରଦାନ କରି ମଡେଲ ମଣ୍ଡି ଓ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ପ୍ୟାକ୍ସ/ଲ୍ୟାମ୍ପସ୍ ରେ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରାଯାଉଛି । ଏହା ଦ୍ୱାରା ଚାଷୀଙ୍କଠାରୁ ଧାନ, ଡାଲି ଓ ତୈଳବୀଜ ସୁବିଧାରେ ସଂଗ୍ରହ ହେବା ସହିତ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିବା ସାର ଓ ବିହନ ଗଚ୍ଛିତ ରଖି ବିକ୍ରି କରିବାରେ ସୁବିଧା ହେବ । ପ୍ୟାକ୍ସ/ଲ୍ୟାମ୍ପସ୍ ଗୁଡ଼ିକୁ ୱାନ୍ ଷ୍ଟପ୍ ସେଣ୍ଟରରେ ପରିଣତ କରାଯାଇ ଚାଷୀମାନଙ୍କୁ ଗୋଟିଏ ସ୍ଥାନରେ ସବୁପ୍ର୍ରକାରର ସୁବିଧାସୁଯୋଗ ଦିଆଯାଇପାରିବ ।

ଓଡ଼ିଶା ରାଜ୍ୟ କୃଷି ବିଣନ ପରିଷଦ ଦ୍ୱାରା ବହୁମୁଖୀ ଗୋଦାମ ଗୃହର ମଡେଲ ଡିଜାଇନ୍ ଓ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି । ପ୍ରତିଟି ବହୁମଖୀ ଗୋଦାମ ଗୃହ ନିର୍ମାଣ ନିମନ୍ତେ ୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ବହୁମୁଖୀ ଗୋଦାମ ଗୃହରେ ଅଫିସ କାର୍ଯ୍ୟାଳୟ ସମେତ ପାନୀୟ ଜଳ ଓ ଶୌଚାଳୟର ସୁବିଧା ରହିବ । ପ୍ୟାକ୍ସ/ଲ୍ୟାମ୍ପସ୍‌ ରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହିତ ବୈଠକରେ ପ୍ୟାକ୍ସ/ଲ୍ୟାମ୍ପସ୍‌ର ଅଡ଼ିଟ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରି ବକେୟା ଅଡିଟ୍‌ ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ସମବାୟ ବିଭାଗର ସଚିବ ତଥା ଓଡ଼ିଶା ରାଜ୍ୟ କୃଷି ବିଣନ ପରିଷଦର ସଦସ୍ୟ ସଚିବ ସଂଜୀବ କୁମାର ଚଢ଼ା, ସମବାୟ ସମିତି ସମୂହର ନିବନ୍ଧକ ଡ. ଉଦ୍ଧବ ଚରଣ ମାଝୀ, ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଅଡିଟର ଜେନେରାଲ, ସମବାୟ ସମିତି ଭରତ ଚନ୍ଦ୍ର ବେହେରାଙ୍କ ସମେତ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।