କଂଗ୍ରେସରେ ଯୋଗ ଦେବାକୁ ମନା କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : (ସଂକେତ ଟିଭି) କଂଗ୍ରେସରେ ସାମିଲ୍ ହେବା ପାଇଁ ମନା କଲେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର। କଂଗ୍ରେସ ପାର୍ଟିର ବରିଷ୍ଠ ନେତା ରଣଦୀପ ସୁରଜେଓ୍ଵାଲା ମଙ୍ଗଳବାର ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି। ଗତ ଅନେକ ଦିନ ଧରି ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପାର୍ଟିରେ ଯୋଗ ଦେବାକୁ ପ୍ରଶାନ୍ତଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ ପ୍ରଶାନ୍ତ କିଶୋର କଂଗ୍ରେସର ପ୍ରସ୍ତାବକୁ ଗ୍ରହଣ କରି ନାହାନ୍ତି।

୨୦୨୪ସାଧାରଣ ନିର୍ବାଚନ ଲାଗି ପ୍ରତ୍ୟେକ ରାଜନୈତିକ ଦଳ ନିଜର ରୋଡ଼ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ରରେ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ନିଜ ନିଜର ଦବଦବା ଜାହିର କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଏହା ମଧ୍ୟରେ ନୂଆ ଦଳ ଭାବେ ଆପ୍‌ ବି ସାମିଲ ହେବା ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ତେବେ ବ୍ୟାକଫୁଟକୁ ଯାଇଥିବା କଂଗ୍ରେସ ଏବେ ଘର ସଜାଡ଼ିବାକୁ ପ୍ରସ୍ତୁତି ଜାରି ରଖିଛି । ଏହା ମଧ୍ୟରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଏବଂ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ
ମିଶନ ୨୦୨୪ଲାଗି ଆଲୋଚନା ହୋଇଛି । ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ବି ଏହି ବିଷୟରେ ବିଚାର ବିମର୍ଷ ବି ହୋଇସାରିଛି । ଏହି ସମୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପାର୍ଟିରେ ଯୋଗ ଦେବାକୁ ପ୍ରଶାନ୍ତଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ ପ୍ରଶାନ୍ତ କିଶୋର କଂଗ୍ରେସର ପ୍ରସ୍ତାବକୁ ଗ୍ରହଣ କରି ନାହାନ୍ତି ।

ସୁରଜେଓ୍ଵାଲା କହିଛନ୍ତି, ପ୍ରଶାନ୍ତ କିଶୋରଙ୍କ ସହିତ ଆଲୋଚନା ଏବଂ ପ୍ରେଜେନଟେସନ ପରେ କଂଗ୍ରେସ ଅଧ୍ୟକ୍ଷ ଏମ୍ପପାଓ୍ଵାର୍ଡ ଆକ୍ସନ ଗ୍ରୁପ ୨୦୨୪ ଗଠନ କରାଯାଇଛି। ଏହାରି ଆଧାରରେ ପ୍ରଶାନ୍ତଙ୍କୁ ପାର୍ଟିରେ ସାମିଲ୍ ହେବା ନେଇ ଅଫର ଦିଆଯାଇଥିଲା। ହେଲେ କଂଗ୍ରେସରେ ଯୋଗ ଦେବାକୁ ପ୍ରଶାନ୍ତ ମନା କରିଛନ୍ତି। ପାର୍ଟିକୁ ଦେଇଥିବା ପ୍ରସ୍ତାବ ନେଇ ଆମେ ତାଙ୍କର ପ୍ରଶଂସା କରୁଛୁ ବୋଲି ସୁରଜେଓ୍ଵାଲା କହିଛନ୍ତି।

ପ୍ରଶାନ୍ତ କିଶୋର ମଧ୍ୟ ଟୁଇଟ୍ କରି କହିଛନ୍ତି, କଂଗ୍ରେସ ପାର୍ଟି ମୋତେ ଏମ୍ପପାଓ୍ଵାର୍ଡ ଆକ୍ସନ ଗ୍ରୁପରେ ସାମିଲ୍ ହେବା ଏବଂ ନିର୍ବାଚନୀ ଦାୟିତ୍ଵ ସମ୍ଭାଳିବାକୁ ଅଫର ଦେଇଥିଲା। ତେବେ ମୁଁ ସାମିଲ୍ ହେବାକୁ ମନା କରି ଦେଇଛି। ମୋ ଅପେକ୍ଷା ସଂପ୍ରତି ପାର୍ଟିକୁ ସମ୍ମିଳିତ ପ୍ରୟାସ ଏବଂ ଭଲ ନେତୃତ୍ଵର ଆବଶ୍ୟକତା ରହିଛି। ଯଦ୍ଵାରା କଂଗ୍ରେସର ମୂଳ ସମସ୍ୟା ସମାପ୍ତ ହୋଇ ପାରିବ।

ସୂଚନା ଅନୁସାରେ, ପ୍ରଶାନ୍ତ କିଶୋର ଗାନ୍ଧୀ ପରିବାରରୁ ସୋନିଆ, ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦରେ ରହିବା ଅନୁଚିତ୍ ବୋଲି କହିଥିଲେ। ପ୍ରଶାନ୍ତଙ୍କ ପ୍ରସ୍ତାବ ଅନୁଯାୟୀ, ବାହାର ନେତାଙ୍କୁ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ଵ ଦିଆଯାଉ। ପ୍ରତି ଦୁଇ ବର୍ଷରେ ଥରେ କଂଗ୍ରେସ ଅଧ୍ୟକ୍ଷ ପଦ ପରିବର୍ତ୍ତନ କରାଯାଉ। ପାର୍ଟିକୁ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ସାଂଗଠନିକ ନିର୍ବାଚନ କରାଯାଉ ବୋଲି ପ୍ରଶାନ୍ତ ପ୍ରସ୍ତାବ ଦେଇଥିଲେ।

କାହିଁକି ମନା କଲେ ପ୍ରଶାନ୍ତ କିଶୋର
ସୂତ୍ର ମୁତାବକ ପାର୍ଟି ପ୍ରଶାନ୍ତ କିଶୋରଙ୍କୁ ପୂରା ସ୍ଵାଧୀନତାର ସହ କାମ କରିବାର ଅଧିକାର ଦେବାକୁ ଚାହୁଁନଥିଲା। ଏପରିକି ସୋନିଆ ଗାନ୍ଧୀ ସ୍ପଷ୍ଟ ଭାବେ କହିଥିଲେ ଯେ, କଂଗ୍ରେସରେ ଯୋଗ ଦେବା ପରେ ପ୍ରଶାନ୍ତ କିଶୋର ଅନ୍ୟ କୌଣସି ଦଳ ସହ କାମ କରି ପାରିବେ ନାହିଁ ଏବଂ ପୂରା ସମୟ କଂଗ୍ରେସକୁ ଦେବେ। ଉଲ୍ଲେଖନୀୟ ଗୋଟିଏ ଦିନ ପୂର୍ବରୁ ପିକେଙ୍କ ଆଇପିଏସି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସହ ଚୁକ୍ତି କରିଚି। ଏହାରି ଆଧାରେ ପ୍ରଶାନ୍ତଙ୍କ କମ୍ପାନୀ ୨୦୨୪ ବିଧାନସଭା ନିର୍ବାଚନ ରଣନୀତି ପ୍ରସ୍ତୁତ କରିବ।

କଣ ଚାହୁଁଥିଲେ ପ୍ରଶାନ୍ତ କିଶୋର
ରିପୋର୍ଟ ଅନୁଯାୟୀ, ପ୍ରଶାନ୍ତ କିଶୋର ଚାହୁଁଥିଲେ ସେ ସିଧାସଳଖ କଂଗ୍ରେସ ଅଧ୍ୟକ୍ଷଙ୍କୁ ରିପୋର୍ଟ କରିବେ। କିନ୍ତୁ ତାଙ୍କୁ ଏମିତି କରିବାକୁ ଅଧିକାର ଦିଆଯାଇଥିଲା। କିନ୍ତୁ ତାଙ୍କୁ ପାର୍ଟିର ନିର୍ବାଚନୀ ପ୍ରସ୍ତୁତି ପାଇଁ ଗଠିତ ଆକ୍ସନ ଗ୍ରୁପରେ ସ୍ଥାନ ଦିଆଯାଇଥିଲା। ଅନ୍ୟପଟେ କେସିଆରଙ୍କ ପାର୍ଟି ସହିତ ଆଇପିଏସିର ରାଜିନାମା କଂଗ୍ରେସରେ ସାମିଲ୍ ହେବାକୁ ବାଧକ ସାଜିଥିଲା। ତେବେ ପିକେ ପୂର୍ବରୁ କହି ସାରିଥିଲେ ଯେ, ଏହି କମ୍ପାନୀ ସହିତ ତାଙ୍କର ଆଉ କୌଣସି ସଂପର୍କ ନାହିଁ। ତେବେ ଏହା ସମସ୍ତଙ୍କୁ ବେଶ ଭଲଭାବେ ଜଣା ଯେ, କମ୍ପାନୀର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହିଁ ତାଙ୍କ ଦ୍ଵାରା ନିଆଯାଏ।