ଖରାପ ସମୟର ଅନ୍ତ ହୋଇ ପାରିଲାନି: ରୋହିତ ଶର୍ମା

ନୂଆଦିଲ୍ଲୀ : (ସଂକେତ ଟିଭି)ପାଞ୍ଚଥର ଆଇପିଏଲ ଟାଇଟଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ଚଳିତ ବର୍ଷର ଆଇପିଏଲରେ ଲଗାତର ଅଷ୍ଟମ ପରାଜୟ ସହିତ ପଏଣ୍ଟ ତାଲିକାର ଦଶମ ତଥା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଇପିଏଲ ଅଭିଯାନ ଆରମ୍ଭ କରିବା ପରଠାରୁ ମୁମ୍ବାଇ ପରାଜୟ ମୁହଁ ଦେଖି ଆସୁଛି । ଶତ ଚେଷ୍ଟା ସତ୍ତ୍ୱେ ବିଜୟ ସ୍ୱାଦ ଅନୁଭବ କରିବା ସମ୍ଭବ ହୋଇ ପାରୁନି ।

ରବିବାର ଦିନ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ଲକ୍ଷ୍ମୌ ସୁପର ଜିଆଣ୍ଟ୍‌ସ ଠାରୁ ହାରିବା ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଅମ ପାଇଁ ଖରାପ ସମୟର ଅନ୍ତ ହୋଇ ପାରିଲା ନାହିଁ । ଏହା ସହିତ ଆଇପିଏଲ ଇତିହାସରେ ପ୍ରଥମ ଦୃଷ୍ଟାନ୍ତ ଭାବେ କ୍ରମାଗତ ୮ ମ୍ୟାଚରେ ପରାଜୟ ବରଣ କରି ପ୍ରବଳ ମାନସିକ ଚାପ ଦେଇ ଗତି କରୁଛୁ । ବ୍ୟାଟିଂ ଓ ବୋଲିଂରେ ଆମେ ପ୍ରତିପକ୍ଷ ଦଳ ନିକଟରେ ହାର ମାନି ଆସୁଛୁ । ଏଥିରେ ସୁଧାର ଆଣିବା ପାଇଁ ପ୍ରୟାସ କରିବା ସତ୍ତ୍ୱେ କୌଣସି ସୁଫଳ ମିଳୁନି । ଧୀରେଧୀରେ ଆଇପିଏଲ ଶେଷ ହେବାକୁ ଯାଉଛି । ଆମ ହାତରେ ଆଉ ବିଶେଷ ମ୍ୟାଚ ନାହିଁ । ଖେଳିବାକୁ ଥିବା ଅବଶିଷ୍ଟ ମ୍ୟାଚରେ ବିଜୟୀ ହେଲେ ମଧ୍ୟ ଆଗକୁ ବଢ଼ିବା ସମ୍ଭାବନା ନାହିଁ । ତେଣୁ ଚଳିତ ଆଇପିଏଲ ସିଜିନ ଆମ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ରୋହିତ ଶର୍ମା ।

ଉଲ୍ଲେଖନୀୟ ବିଷୟ ହେଲା ଯେ ମୁମ୍ବାଇ ହେଉଛି ଆଇପିଏଲର ସବୁଠାରୁ ସଫଳ ଫ୍ରଞ୍ଚୋଇଜର ହୋମ ଗ୍ରାଉଣ୍ଡ । ଚଳିତ ବର୍ଷର ସମସ୍ତ ମ୍ୟାଚ ମୁମ୍ବାଇରେ ଅନୁଷ୍ଠିତ ହେଉଥିବା ଦୃଷ୍ଟିରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଅଧିକ ସୁହାଇବ ବୋଲି ଆଇପିଏଲର ଅନ୍ୟ ସମସ୍ତ ଫ୍ରାଞ୍ଚାଇଜ ବିସିସିଆଇ ନିକଟରେ ଅଭିଯୋଗ କରିଥିଲେ । ମାତ୍ର ଶେଷରେ ଫଳାଫଳ ଓଲଟା ହେଲା । କାରଣ ଆଇପିଏଲର ନୂଆ ଦୁଇ ଦଳ ସହିତ ଅନ୍ୟ ୭ ଫ୍ରାଞ୍ଚାଇଜ ଅତି ଭଲ ପ୍ରଦର୍ଶନ କରିବା ସହିତ ଶେଷ ପର୍ଯ୍ୟାୟ ମୁକାବିଲାରେ ସାମିଲ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଜରି ରଖି ଥିବା ବେଳେ ଏକମାତ୍ର ବିଫଳ ଦଳ ଭାବେ ସାବ୍ୟସ୍ତ ହୋଇଛି ମୁମ୍ବାଇ ଇଣ୍ଡ୍ରିଆନ୍ସ ।