୨୮୦ କୋଟି ଟଙ୍କାର ହେରୋଇନ୍ ଜବତ କଲା ଭାରତୀୟ ନୌସେନା

ଅହମଦାବାଦ୍ : (ସଂକେତ ଟିଭି) ପାକିସ୍ତାନର ଏକ ବଡ ଧରଣର ଯୋଜନାକୁ ପଣ୍ଡ କରିଛି ଭାରତ । ଗୁଜରାଟର ସୀମାନ୍ତ ସମୁଦ୍ରକୂଳରୁ ୨୮୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍ ଜବତ କରାଯାଇଛି । ଗୁଜରାଟ ଆତଙ୍କବାଦ ନିରୋଧୀ ଟିମ୍ ଏବଂ ଭାରତୀୟ ନୌସେନା ପକ୍ଷରୁ ହୋଇଥିବା ମିଳିତ ଚଢାଉ ବେଳେ ବଡ ଧରଣର ସଫଳତା ମିଳିଛି । ପାକିସ୍ତାନ ପଟୁ ଭାରତ ସୀମା ମଧ୍ୟରେ ପଶି ହେରୋଇନ୍‌ କାରବାର କରୁଥିବା ଅଭିଯୁକ୍ତଙ୍କୁ ମଧ୍ୟ କାବୁ କରାଯାଇଥିବା ଜଣାପଡିଛି । ଜବତ ହୋଇଥିବା ଡଙ୍ଗାରୁ ପ୍ରାୟ ୨୮୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍ ଜବତ କରାଯାଇଛି ।

ଏତେ ପରିମାଣର ନିଶାଦ୍ରବ୍ୟ ଜଳପଥ ଦେଇ କାରବାର ହେଉଥିବା ଜଣାପଡିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ହେରୋଇନ ଚାଲାଣ ହେଉଥିବା ଡଙ୍ଗା ସମେତ ୯ଜଣଙ୍କୁ ଗିରଫ କରାଯାଇଛି । ସୋମବାର ଏ ନେଇ ସୂଚନା ଦେଇଛନ୍ତି ଜଣେ ପ୍ରତିରକ୍ଷା ମୁଖପାତ୍ର । ଭାରତୀୟ ନୌସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ତଟରକ୍ଷୀ ଜାହାଜ ପାକିସ୍ତାନୀ ଡଙ୍ଗା ଅଲ୍‌ ହଜ୍‌କୁ ଭାରତୀୟ ସୀମାରୁ ଜବତ କରାଯାଇଛି ।

ପ୍ରଥମେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦିଆଯାଇଥିଲା । କିନ୍ତୁ ସେମାନେ ଛତ୍ରଭଙ୍ଗ ଦେଇଥିଲେ । ବାଧ୍ୟ ହୋଇ ନୌସେନା ଯବାନ ମାନେ ଗୁଳିଚାଳନା କରିଥିଲେ । ସର୍ଚ୍ଚ ଅପରେସନ୍ ବେଳେ ଡଙ୍ଗାରୁ ୨୮୦ କୋଟି ମୂଲ୍ୟର ହେରୋଇନ ଜବତ ହୋଇଛି । ଡଙ୍ଗାରେ ଥିବା ୯ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଶରୀରରେ ଗୁଳି ବାଜି ସାମାନ୍ୟ ଆହତ ହୋଇଛନ୍ତି । ଜବତ ହେରୋଇନ ଆଫଗାନିସ୍ତାନରୁ ଆସିଥିବା ନେଇ ଜଣାପଡିଛି । ଆଫଗାନିସ୍ତାନରୁ ପାକିସ୍ତାନର କିଛି ଦଲାଲ୍‌ ଭାରତରେ ବ୍ୟବସାୟ ପାଇଁ ଆଣୁଥିବା ଖୁଲାସା ହୋଇଛି । ଜବତ ହୋଇଥିବା ହେରୋଇନ ପ୍ରାୟ ୧୦୦ କେଜି ଏବଂ ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ମୂଲ୍ୟ ୭୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।