ବାଲେଶ୍ବରରେ ବିପଦଜନକସ୍ଥିତିରେ ଅତି ବାଇଗଣୀ ରଶ୍ମି

ବାଲେଶ୍ବର : (ସଂକେତ ଟିଭି) ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଚିନ୍ତାଜନକ ଖବର ଆସିଛି ବାଲେଶ୍ୱରରୁ । ୱେଦର ଅନଲାଇନର ଆକଳନ ଅନୁସାରେ ବାଲେଶ୍ୱରରେ ବିପଦଜନକ ସ୍ଥିତିରେ ରହିଛି ଅଲଟ୍ରା ଭାୟୋଲେଟ୍ ଇଣ୍ଡେକ୍ସ ବା ଅତି ବାଇଗଣି ବିକିରଣ ରଶ୍ମୀର ମାତ୍ରା । ବାଲେଶ୍ୱରରେ ୟୁଭି ମାତ୍ରା ୧୨ରେ ପହଂଚିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହା ଅପରିବର୍ତିତ ରହିପାରେ । ଦିନ ୧୦ଟାରୁ ୪ଟା ଯାଏଁ ଏହାର ମାତ୍ରା ଅଧିକ ରହିବ ।

ଗତକାଲି ସକାଳ ୯ଟାରେ ୟୁଭି ମାତ୍ରା ୮ ରହିଥିଲା । ଦିନ ୧୦ଟା ବେଳକୁ ୟୁଭି ମାତ୍ରା ବଢି ୧୧ ହୋଇଥିଲା । ୧୧ଟାରୁ ୧୨ଟା ଯାଏଁ ୟୁଭି ମାତ୍ରା ୧୨ରେ ଅପରିବର୍ତିତ ରହିଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ୟୁଭିର ଏଭଳି ଭୟଙ୍କର ସ୍ତରକୁ ନେଇ ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ନେଇ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ । ଅଲଟ୍ରା ଭାୟୋଲେଟ୍ ଇଣ୍ଡେକ୍ସ ବା ଅତି ବାଇଗଣି ବିକିରଣ ରଶ୍ମୀର ଏକ ନିର୍ଦ୍ଦିଷ୍ଟ ସ୍ତର ରହିଛି । କିନ୍ତୁ ବାଲେଶ୍ୱରରେ ୧୧ଟାରୁ ୧୨ଟା ଭିତରେ ଯେଉଁ ସ୍ତର ରହୁଛି ତାହା ଅତି ବିପଦଜନକ । ତେଣୁ ଦିନ ୧୧ଟା ପରେ ଘରୁ ନବାହାରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି ।

ଏହି ସମୟରେ ବାହାରିଲେ ଯେ କୌଣସି ମଣିଷ ପାଇଁ ବଡ ବିପଦ ଆଣିପାରେ । ୟୁଭି ସ୍ତର ୮, ୯ କିମ୍ବା ୧୦ ରହିଲେ ଏହା ବିପଦ ବୋଲି ଧରାଯିବ । ୧୧ରୁ ଅଧିକ ହେଲେ ଏହା ଅତି ବିପଦଜନକ ବୋଲି ଧରାଯିବ । ବିକିରଣ ରଶ୍ମିର ସଂସ୍ପର୍ଶରେ ଆସିଲେ ଶରୀରର ଅନେକ କ୍ଷତି ହୋଇଥାଏ । ଚର୍ମ କର୍କଟ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ୫ ମିନିଟ୍ ଖରାରେ ସିଧାସଳଖ ସଂସ୍ପର୍ଶରେ ଆସିଲେ କର୍କଟ ରୋଗ ଆଶଙ୍କା । ଆଖି ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇପାରେ ୟୁଭି । ଅଧିକ ୟୁଭି ମାତ୍ରା ପ୍ରଭାବରେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ରହିଛି ।