୨୮ ବର୍ଷ ଛୋଟ ବାନ୍ଧବୀକୁ ବିବାହ କରିବେ ୬୬ ବର୍ଷିୟ ପୂର୍ବତନ କ୍ରିକେଟର ଅରୁଣ ଲାଲ୍

କୋଲକାତା : (ସଂକେତ ଟିଭି) ପୂର୍ବତନ କ୍ରିକେଟର ଅରୁଣ ଲାଲ ଆସନ୍ତା ମାସରେ କୋଲକାତାରେ ତାଙ୍କ ଦୀର୍ଘ ଦିନର ବାନ୍ଧବୀ ବୁଲ୍ ବୁଲ ସାହାଙ୍କ ସହ ବିବାହ କରିବେ । ଏହା ହେଉଛି ଅରୁଣ ଲାଲଙ୍କ ଦ୍ବିତୀୟ ବିବାହ । ଆସନ୍ତା ମେ 2 ତାରିଖରେ କୋଲକାତାର ପିଅରଲେସ୍ ଇନ୍ ରେ ବିବାହ ଅନୁଷ୍ଠିତ ହେବ । ଅରୁଣ ଲାଲଙ୍କୁ ବର୍ତ୍ତମାନ 66 ବର୍ଷ ହୋଇଥିବାବେଳେ ବୁଲ୍ ବୁଲ୍ ଙ୍କ ବୟସ 38 ବର୍ଷ ।

ସୂଚନା ଅନୁସାରେ, ଅରୁଣ ଲାଲ୍ ପ୍ରଥମ ବିବାହ ରିନାଙ୍କ ସହିତ ହୋଇଥିଲା । ହେଲେ ସେମାନେ ପାରସ୍ପରିକ ସହମତିରେ ସେମାନେ ଅଲଗା ହୋଇଥିଲେ। ଏହା ପରେ ସେ ଜଣେ ଶିକ୍ଷକ ଭାବରେ କାମ କରୁଥିବା 38 ବର୍ଷିୟା ବୁଲ୍ ବୁଲଙ୍କ ସହିତ ତାଙ୍କର ସଂପର୍କ ସ୍ଥାପନ ହୋଇଥିଲା । ଆସନ୍ତା ମାସରେ ବିବାହ କରି ଏହି ସଂପର୍କକୁ ସାର୍ବଜନୀନ କରିବାକୁ ଅରୁଣ ଲାଲ୍ ନିଷ୍ପତ୍ତି ନେଇଛନ୍ତି।

ଅରୁଣ ଲାଲ୍ ପଞ୍ଜାବର କାପୁରତାଲାରେ 1955 ରେ ଜନ୍ମ ହୋଇଥିଲେ । ଏହା ପରେ ସେ ଏକ ଚା କମ୍ପାନୀରେ ଚାକିରି ପାଇବା ପାଇଁ 1978 ରେ କୋଲକାତା ଆସିଥିଲେ । ସେଠାରେ ସେ ତାଙ୍କ କ୍ରିକେଟ କ୍ଯାରିଅର ଆରମ୍ଭ କରିଥିଲେ । ସେ 1982 ରୁ 1989 ମଧ୍ୟରେ ଭାରତୀୟ ଦଳର ପ୍ରତିନିଧିତ୍ବ କରି16 ଟି ଟେଷ୍ଟ ମ୍ୟାଚ୍ ଏବଂ 13 ଟି ଦିନିକିଆ ଖେଳିଥିଲେ |ଭାରତୀୟ ଦଳରେ ଦୀର୍ଘ ସମୟ ଧରି ଖେଳିଥିଲେ । 1980 ଦଶକରେ ଭାରତୀୟ ଖେଳାଳି ମଧ୍ଯରେ ବିଜେତା ମାନସିକତା ଆଣିଥିବା ଅରୁଣ ବର୍ତ୍ତମାନ ବଙ୍ଗଳା କ୍ରିକେଟ୍ ର କୋଚ୍ ଭାବରେ କାମ କରୁଛନ୍ତି ।

ଅରୁଣଙ୍କ ଅଧୀନରେ ବଙ୍ଗଳା କ୍ରିକେଟ ଦଳ 13 ବର୍ଷର ଦୀର୍ଘ ବ୍ୟବଧାନ ପରେ 2020 ରେ ରଣଜୀ ଟ୍ରଫି ଫାଇନାଲ ପ୍ରବେଶ କରିଥିଲା । ଏବଂ ବର୍ତ୍ତମାନ ସିଜନରେ ମଧ୍ଯ ଦଳ କ୍ବାଟର ଫାଇନାଲରେ ପ୍ରବେଶ କରିଛି ।

ଚାରି ବର୍ଷ ତଳେ ଅରୁଣ ଲାଲ୍ କ୍ଯାନସର ରୋଗ (ଆଡେନଏଡ ସିଷ୍ଟିକ କାରସିନୋମା) ରୋଗରେ ଆକ୍ରାନ୍ତ ହୋଇଥିଲେ । ସେ ଏହି ରୋଗରୁ ସୁସ୍ଥ ହୋଇ ପୁଣି କ୍ରିକେଟ ପଡିଆକୁ ଫେରି ବର୍ତ୍ତମାନ ବେଙ୍ଗଲ ଦଳକୁ କୋଚିଂ ଦେଉଛନ୍ତି ।