ନିଲାମ ହେଲା ଚନ୍ଦ୍ରରୁ ଆସିଥିବା ବାଲି

ନୂଆଦିଲ୍ଲୀ : (ସଂକେତ ଟିଭି) ଆପୋଲୋ ୧୧ ମିସନ୍‌ରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଚନ୍ଦ୍ରରୁ ଆଣିଥିବା ବାଲୁକାରୁ କାଣିଚାଏ (ଅତି ସ୍ୱଳ୍ପ ପରିମାଣର) ୫,୦୪,୩୭୫ ଡଲାରରେ ବିକ୍ରୟ ହୋଇଛି । ବୁଧବାର ଦିନ ନ୍ୟୁୟର୍କରେ ‘ବନ୍‌ହାମାସ୍ ଅକ୍‌ସନିୟର୍ସ’ ତା’ର ‘ସ୍ପେସ୍ ହିଷ୍ଟ୍ରି ସେଲ୍‌’ ଅଂଶ ଭାବେ ଚନ୍ଦ୍ର ପୃଷ୍ଠରୁ ସଂଗୃହୀତ ବାଲୁକା ବିକ୍ରୟ କରିଛି । ୧୯୬୯ ମସିହାରେ ଚନ୍ଦ୍ରରେ ପାଦ ପକାଇବା କ୍ଷଣି ଆର୍ମଷ୍ଟ୍ରଙ୍ଗ୍ ଏହି ବାଲି ସଂଗ୍ରହ କରିଥିଲେ ।

‘ଫୋର୍ବସ୍‌’ ପତ୍ରିକା ରିପୋର୍ଟ ଅନୁସାରେ, ୮,୦୦,୦୦୦ ଡଲାରରୁ ୧.୨ ନିୟୁତ ଡଲାରରେ ଉକ୍ତ ବାଲୁକା ବିକ୍ରୟ ପାଇଁ ‘ବନ୍‌ହାମ୍‌ସ୍‌’ ଆକଳନ କରିଥିଲା । କିନ୍ତୁ, ଶେଷରେ ଜଣେ ୪୦୦,୦୦୦ ଡଲାରରେ ଏହାକୁ ନିଲାମ ଧରିବାରେ ସଫଳ ହୋଇଥିଲେ । ଏହାଛଡ଼ା, କ୍ରେତାଙ୍କୁ ଫିସ୍ ଏବଂ ପ୍ରିମିୟମ୍ ବାବଦକୁ ବାକି ଅର୍ଥ ଦେବାକୁ ପଡ଼ିଥିଲା । ଏହି ନିଲାମ ସହ ଶେଷ ହୋଇଛି ପୃଥିବୀରେ ପହଞ୍ଚିବା ପରଠାରୁ ଚନ୍ଦ୍ର ବାଲୁକାର ଜଟିଳ ଇତିହାସ । ଚନ୍ଦ୍ର ବାଲୁକାର ମାଲିକାନା ନିମନ୍ତେ ‘ନାସା’କୁ ମଧ୍ୟ ଅଦାଲତର ଦ୍ୱାରସ୍ଥ ହେବାକୁ ପଡିଥିଲା ।

‘ଫୋର୍ବସ୍‌’ ରିପୋର୍ଟ ଅନୁସାରେ, ୨୦୧୫ରେ ଚନ୍ଦ୍ର ବାଲୁକାକୁ ମିଚିଗାନ୍‌ର ଓକିଲ ନାନ୍‌ସିଲି କାର୍ଲସନ୍‌ଙ୍କୁ ୯୯୫ ଡଲାରରେ ବିକ୍ରୟ କରାଯାଇଥିଲା । ବାସ୍ତବରେ ଚନ୍ଦ୍ର ବାଲୁକା କି, ନୁହେଁ ଜାଣିବା ଲାଗି ନାନ୍‌ସି ଏହାକୁ ‘ନାସା’କୁ ପଠାଇଥିଲେ । ପ୍ରକୃତରେ ସେ ସବୁ ଆପୋଲୋ ୧୧ରେ ଆସିଥିବା ଚନ୍ଦ୍ର ବାଲୁକା ବୋଲି ଜାଣିବା ପରେ ‘ନାସା’ ତାହାକୁ ଫେରାଇବାକୁ ଅମଙ୍ଗ ହୋଇଥିଲା । ଫଳରେ ଓକିଲ ନାନ୍‌ସି ‘ନାସା’ ବିରୋଧରେ ୨୦୧୬ରେ ମାମଲା ଦାଏର କରିଥିଲେ ଓ ମାମଲାରେ ଜିଣି ଚନ୍ଦ୍ର ବାଲୁକା ପାଇଥିଲେ । ୨୦୧୭ରେ ଚନ୍ଦ୍ର ବାଲୁକା ୧.୮ ନିୟୁତ ଡଲାରରେ ବିକ୍ରି ହୋଇଥିଲା ।