ବିପର୍ଯ୍ୟୟ ଦ୍ୱାର ଦେଶରେ ପୂରା ବିଶ୍ୱ

ନୂଆଦିଲ୍ଲୀ : (ସଂକେତ ଟିଭି) ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରକୃତିରେ ଆଶ୍ଚର୍ଯ୍ୟଜନକ ଭାବେ ପରିବର୍ତ୍ତନ ଘଟୁଛି । ୨୦୦୧ରେ ଯେତିକି ହିଟ୍‌ୱେଭ ଅନୁଭୂତ ହେଉଥିଲା ୨୦୩୦ରେ ତା’ଠାରୁ ୩ ଗୁଣ ଅଧିକ ଭୟଙ୍କର ସ୍ଥିତି ସୃଷ୍ଟି ହେବ । ୟୁଏନ୍‌ଡିଆର୍‌ଆର୍ ତା’ର ବିଶ୍ୱସ୍ତରୀୟ ରିପୋର୍ଟରେ କହିଛି ଯେ ଆଗକୁ ପୂରା ବିଶ୍ୱ ଅନେକ ବିର୍ଯ୍ୟୟର ସମ୍ମୁଖୀନ ହେବ । ପ୍ରକୃତିର ତାଣ୍ଡବ ଯୋଗୁ କେଉଁଠି ନିଆଁ ଲାଗିବ ତ ଆଉ କେଉଁ ବାତ୍ୟା ଓ ବନ୍ୟା ଭଳି ସ୍ଥିତି ଦେଖାଯିବ । ଏହାବାଦ ମହାମାରୀ ଓ ରାସାୟନିକ ଦୁର୍ଘଟଣା ଭଳି ବିପଦନକ ବିପର୍ଯ୍ୟୟର ସମ୍ମୁଖୀନ ମଧ୍ୟ କରିବାକୁ ପଡିପାରେ । ୨୦୩୦ ସୁଦ୍ଧା ଏହି ବିପର୍ଯ୍ୟୟର ସଂଖ୍ୟା ପ୍ରତିବର୍ଷ ୫୬୦ ରହିବାର ଆଶଙ୍କା କରାଯାଉଛି ।

ଅର୍ଥାତ୍ ପ୍ରତିଦିନ ୧.୫ଟି ବିପର୍ଯ୍ୟୟ ବା ଦୁର୍ବିପାକକୁ ସାମ୍ନାକୁ କରିବାକୁ ହେବ । ବିପର୍ଯ୍ୟୟ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦରେ ପଡ଼ିପାରେ । ୨୦୧୫ରେ ବର୍ଷକୁ ସର୍ବାଧିକ ୪୦୦ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ହେଲେ ଏବେ ଏହା ବର୍ଷକୁ ୫୬୦ ଛୁଇଁବ । ୧୯୭୦ରୁ ୨୦୦୦ ମଧ୍ୟରେ ସମଗ୍ର ବିଶ୍ୱରେ ୯୦ରୁ ୧୦୦ଟି ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ଏହାର ପ୍ରଭାବ ମଧ୍ୟ ଧୀରେଧୀରେ ଅନୁଭବ ହେଲାଣି । ତୁରନ୍ତ ଏହାକୁ ବନ୍ଦ ନ କରାଗଲେ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ରିପୋର୍ଟ ପ୍ରସ୍ତୁତ କରିଥିବା ୟୁଏନଡିଆରଆର ମୁଖ୍ୟ କହିଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ ୨୦୩୦ରେ ଭୟଙ୍କର ହିଟୱେଭ ବା ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସେହି ରି ୩୦% ଅଧିକ ମରୁଡ଼ି ସ୍ଥିତିର ସମ୍ମୁଖୀନ ହେବ ପୂରା ବିଶ୍ୱ । ରିପୋର୍ଟରେ କେବଳ ପ୍ରକୃତି ବିପର୍ଯ୍ୟୟ କଥା କୁହାଯାଇନି, ମହାମାରୀ କରୋନା, ଆର୍ଥିକ ବିପର୍ଯ୍ୟୟ, ଖାଦ୍ୟାଭାବ ଭଳି ଦୁର୍ବିପାକ ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଛି । ୧୯୯୦ରେ ବିପର୍ଯ୍ୟୟଗୁଡ଼ିକ ଯୋଗୁ ପ୍ରତିବର୍ଷ ୭୦୦୦ କୋଟି ଡଲାରର କ୍ଷତି ହେଉଥିଲା । ହେଲେ ଏବେ ବର୍ଷକୁ ୧୭୦୦୦ କୋଟି ଡଲାରର କ୍ଷତି ସହୁଛି ପୂରା ବିଶ୍ୱ । ବିପର୍ଯ୍ୟୟ ବିକାଶଶୀଳ ଦେଶଗୁଡ଼ିକୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ । ତେଣୁ ଏବେ ସାରା ବିଶ୍ୱ ବି ର୍ଯ୍ୟୟ ଦ୍ୱାରଦେଶରେ ଛିଡ଼ା ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।