ଅଳସ ଭାଙ୍ଗିଥିଲେ କେଜ୍ରିୱାଲ, ଅସଭ୍ୟ ବୋଲି କହିଲା ବିଜେପି

ନୂଆଦିଲ୍ଲୀ : (ସଂକେତ ଟିଭି) କରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ପ୍ରଧାନମନ୍ତ୍ରୀ କହୁଥିବା ବେଳେ ଆମ ଆଦମୀ ପାର୍ଟି(ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଳସ ଭାଙ୍ଗିଥିବା ଦେଖାଯାଇଥିଲା । ପ୍ରଥମେ ସେ ମୁହଁରେ ହାତ ଦେଇଥିବା ବେଳେ ପରେ ହାତ ଉପରକୁ ଟେକି ପଛକୁ ନେଇଥିଲେ । ଏହା ପରେ ବସିଥିବା ଚେୟାରକୁ ଧରି ମୋଦୀଙ୍କ କଥା ଶୁଣିଥିଲେ । ତାଙ୍କର ଏଭଳି ବ୍ୟବହାରକୁ ନେଇ ଏବେ ଦିଲ୍ଲୀ ବିଜେପି ତାଙ୍କୁ ସମାଲୋଚନା କରିଛି ।

ଭର୍ଚୁଆଲ ବୈଠକ ସମୟର ଭିଡିଓ ସେୟାର କରି ବିଜେପି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅସଭ୍ୟ ବୋଲି କହିଛି । ତେବେ ବିଜେପି ଏହି ଭିଡ଼ିଓ ଟ୍ୱିଟ କରିବା ପରେ ଏବେ ଏହା ଭାଇରାଲ ହେଉଥିବା ଦେଖାଯାଇଛି । ପ୍ରଧାନମନ୍ତ୍ରୀ କହୁଥିବା ବେଳେ କେଜ୍ରିୱାଲଙ୍କ ଏଭଳି ବ୍ୟବହାରକୁ ଅନେକ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ତେବେ କରୋନା ସ୍ଥିତି ନେଇ ସମୀକ୍ଷା କରିବା ସହ ତୈଳ ଦର ବୃଦ୍ଧି ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ଗତ କିଛି ଦିନ ହେବ ତେଳ ଦର ବଢ଼ୁଥିବା ବେଳେ ବର୍ଦ୍ଧିତ ଦର ମଧ୍ୟବିତ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏନେଇ ବିରୋଧୀ ଏବଂ ସାଧାରଣ ଲୋକ କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ।

ତୈଳ ମୂଲ୍ୟ ବୃଦ୍ଧି ପାଇଁ ରୁଷ-ୟୁକ୍ରେନ ଯୁଦ୍ଧକୁ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ରହିବା ଜରୁରୀ । ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିବା ଜରୁରୀ, ଯେପରି ନଭେମ୍ବର ମାସରେ କେନ୍ଦ୍ର ଏକ୍ସାଇଜ୍‌ ଶୁଳ୍କ ହ୍ରାସ କରିଥିଲା ।