ରିଆନ ପରାଗଙ୍କ ସହ ହାତ ମିଶାଇଲେନି ହର୍ଷଲ ପଟେଲ୍

ମୁମ୍ବାଇ : (ସଂକେତ ଟିଭି) ଚଳିତ ଆଇପିଏଲର ୩୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଛି ରାଜସ୍ଥାନ ରୟାଲ୍ସ । ଆରସିବିକୁ ୨୯ ରନରେ ହରାଇ ରାଜସ୍ଥାନ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ପହଞ୍ଚି ଯାଇଛି । ତେବେ ଏହି ମ୍ୟାଚରେ ଦୁଇ ଯୁବ ତାରକାଙ୍କ ମଧ୍ୟରେ ଘଟିଥିବା ପାଟିତୁଣ୍ଡ ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆରସିବିର ହର୍ଷଲ ପଟେଲ ଏତେ ରାଗି ଯାଇଥିଲେ ଯେ ସେ ମ୍ୟାଚ୍ ପରେ ରାଜସ୍ଥାନର ରିୟାନ ପରାଗଙ୍କ ସହ ହାତ ମଧ୍ୟ ମିଶାଇ ନଥିଲେ ।

ମଙ୍ଗଳବାର ମ୍ୟାଚରେ ରାଜସ୍ଥାନ ପାଇଁ ରିୟାନ ପରାଗ ବିସ୍ଫୋରକ ଇନିଂସ ଖେଳି ୩୧ ବଲରେ ଅପରାଜିତ ୫୬ ରନ୍ କରିଥିଲେ । ଇନିଂସର ଶେଷ ଓଭରରେ ସେ ହର୍ଷଲ ପଟେଲଙ୍କୁ ଦୁଇଟି ଛକା ଓ ଗୋଟିଏ ଚୌକା ମାରିଥିଲେ । ବ୍ୟାଟିଂ କରି ସେ ପ୍ୟାଭିଲିୟନ ଫେରୁଥିବା ବେଳେ ହର୍ଷଲଙ୍କ ସହ ଏହାକୁ ନେଇ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଶେଷରେ ଅନ୍ୟ ଖେଳାଳିଙ୍କ ହସ୍ତକ୍ଷେପ ଯୋଗୁ ଦୁଇ ଯୁବ ତାରକା ପଛକୁ ହଟିଥିଲେ । ଏହି ସାମାନ୍ୟ ପାଟିତୁଣ୍ଡ ପରେ ଆରସିବି ବ୍ୟାଟିଂ ଆରମ୍ଭ କରିଥିଲା । ୧୪୫ ରନର ଟାର୍ଗେଟ ପାଇ ପାଇଥିବା ଆରସିବି ୧୧୫ ରନରେ ଅଲ ଆଉଟ ହୋଇଥିଲା ।ହର୍ଷଲ ପଟେଲ ହିଁ ଆରସିବିର ଶେଷ ବ୍ୟାଟର ଭାବେ ଆଉଟ ହୋଇଥିଲେ ।