ଘୃଣା ରାଜନୀତି ବନ୍ଦ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ୧୦୦ ବ୍ୟୁରୋକ୍ରାଟ୍‌

ନୂଆଦିଲ୍ଲୀ : (ସଂକେତ ଟିଭି) ଗତ କିଛି ଦିନ ହେବ ଦେଶର ବିଭିନ୍ନ ରାଜ୍ୟରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିବାରେ ଲାଗିଛି । ଏହା ଦେଶବାସୀଙ୍କୁ ବେଶ୍ ବ୍ୟଥିତ କରୁଛି । ବିଭିନ୍ନ ସ୍ଥାନରେ ବୃଦ୍ଧି ପାଉଥିବା ସାମ୍ପ୍ରଦାୟିକ ହିଂସାକୁ ନେଇ ବ୍ୟୁରୋକ୍ରାଟ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହିଭଳି ଘୃଣ୍ୟ ରାଜନୀତିକୁ ବନ୍ଦ କରିବା ପାଇଁ ଦେଶର ୧୦୦ରୁ ଅଧିକ ପୂର୍ବତନ ବ୍ୟୁରୋକ୍ରାଟ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଏହି ବ୍ୟୁରୋକ୍ରାଟ୍‌ଙ୍କ ମଧ୍ୟରେ ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଶିବ ଶଙ୍କର ମେନନ, ପୂର୍ବତନ ବୈଦେଶିକ ସଚିବ ସୁଜାତା ସିଂହ, ପୂର୍ବତନ ଗୃହ ସଚିବ ଜି.କେ.ପିଲାଇ, ଦିଲ୍ଲୀର ପୂର୍ବତନ ଲେଫନାଣ୍ଟ ଗଭର୍ଣ୍ଣର ନଜୀବ ଜଙ୍ଗ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରମୁଖ ସଚିବ ଟି.କେ.ଏ.ନାୟାର ପ୍ରମୁଖ ରହିଛନ୍ତି ।

ସେମାନେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତି ସାମାଜିକ ସଦ୍‌ଭାବନାକୁ ଭଙ୍ଗ କରୁଛି ଏବଂ ଦେଶ ଏକ ଭୟଗ୍ରସ୍ତ ତଥା ଭୟାନକ ସ୍ଥିତି ଦେଇ ଗତି କରୁଛି । ଲୋକଙ୍କ ସାମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ ହେଉଛି । ଏ କ୍ଷେତ୍ରରେ ଆପଣଙ୍କ ଅସମ୍ଭବ ନିରବତା ହିଁ ସାମାଜିକ ଅସ୍ଥିରତାକୁ ଅଧିକ ବୃଦ୍ଧି କରିବାରେ ସହାୟକ ହେଉଛି । ତେଣୁ ଏପରି ଘୃଣା ସୃଷ୍ଟିକାରୀ ରାଜନୀତି ବନ୍ଦ ହେବା ଉଚିତ ବୋଲି ସେମାନେ ଅନୁରୋଧ କରିଛନ୍ତି ।

ଏହି ଚିଠିରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଆମେ ଆପଣଙ୍କ ଅନ୍ତରାତ୍ମାକୁ ନିବେଦନ କରୁଛି କି ଆପଣ ଦେଇଥିବା ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ ଏବଂ ‘ସବ୍‌କା ବିଶ୍ୱାସ’ର ନାରାକୁ ସତ୍ୟନିଷ୍ଠ ଭାବେ ବଜାୟ ରଖନ୍ତୁ । ଆମର ପୂର୍ବତନ ସୂରୀମାନଙ୍କର ଅତୁଳନୀୟ ଅବଦାନ ସମ୍ବିଧାନ ପ୍ରତି ବର୍ତ୍ତମାନ ବିଦ ସୃଷ୍ଟି କରିଛି । ସଂଖ୍ୟାଲଘୁଙ୍କ ବିରୋଧରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଇବା ଚିନ୍ତାଜନକ ଓ ପରିତାପର ବିଷୟ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି । ତେଣୁ ଏଭଳି ଘୃଣା ସୃଷ୍ଟିକାରୀ ରାଜନୀତି ବନ୍ଦ ହେବା ଜରୁରୀ ବୋଲି ସେମାନେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ହରିଆଣା, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂଉତ୍ତରାଖଣ୍ଡରେ ସାମ୍ପ୍ରଦାୟିକ ଉତ୍ତେଜନା ଲାଗି ରହିଛି । ସେ ମଧ୍ୟରୁ ଅଧିକାଂଶ ରାଜ୍ୟରେ ବିଜେପି କ୍ଷମତାରେ ରହିଛି ।