ଡ୍ରେନ ଖୋଳାଯାଉଥିବା ବେଳେ ଭୁଷୁଡି ପଡିଲା ଦୁଇ ମହଲା ଘର

ବାଲେଶ୍ବର : (ସଂକେତ ଟିଭି) ଡ୍ରେନ୍‌ କାମ ବେଳେ ଭୁସୁଡ଼ି ପଡିଲା ଦୁଇ ମହଲା ଘର । ବାଳେଶ୍ୱର ସହର ମ୍ୟୁନିସିପାଲିଟି ଅଫିସ ନିକଟରେ ଏହି ଦୁର୍ଘଟଣା ଘଟିଛି । ଜେସିବି ଦ୍ୱାରା ଡ୍ରେନ ଖୋଳିବା ବେଳେ ଦୁଇ ମହଲା ଘର ସହିତ ବହୁ ଦୋକାନ ଘର ଧସିପଡିଛି ।

ସୂଚନା ଅନୁସାରେ, ବାଲେଶ୍ୱର ସହରର ମ୍ୟୁନିସିପାଲିଟି ଠାରୁ ଟାଉନ୍‌ ଥାନା ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ ପାଇଁ ଜେସିବି ଦ୍ୱାରା ଖୋଳା ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ଦୁଇ ମହଲା କୋଠା ଆଗ ପଟେ ଭୁଷୁଡି ପଡିଛି । ସେହି ଘରକୁ ଲାଗି ଡ୍ରେନକୁ ଲାଗି ଗୋଟିଏ ମେଡିସିନ ଷ୍ଟୋର , ଗୋଟିଏ ରାସନ୍‌ ଦୋକାନ ଓ ଗୋଟିଏ ପ୍ରିଣ୍ଟିଂ ପ୍ରେସ ଥିଲା । ତାହା ମଧ୍ଯ ଭୁଷୁଡି ପଡିଛି । ସେଠାରେ ଉପସ୍ଥିତ ଥିବା ଦୋକାନୀ ଏବଂ ଗ୍ରାହକ ମାନେ ସେଠାରୁ ଦୌଡି ପଳାଇଥିଲେ। ତେବେ ଏହି ଦୁର୍ଘଟଣାରେ କୌଣସି ଲୋକ ମୃତାହତ ହୋଇନଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ସେପଟେ ଘଟଣାସ୍ଥଳକୁ ଯାଇ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରିସ୍ଥିତିକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।