ପୁଣି ବିଶ୍ୱକୁ ପରମାଣୁ ଭୟ ଦେଖାଇଲେ ପୁଟିନ

ମସ୍କୋ : (ସଂକେତ ଟିଭି) ରୁଷ-ୟୁକ୍ରେନ୍ ଯୁଦ୍ଧ ଥମିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ଉଗ୍ର ହେବାରେ ଲାଗିଛି । ବର୍ତ୍ତମାନ ପୂରା ବିଶ୍ୱରେ ପରମାଣୁ ଆକ୍ରମଣର ଭୟ ଲୋକଙ୍କୁ ଘାରିଛି । ଇଶାରା ଇଶାରାରେ ପଶ୍ଚିମ ଦେଶସମୂହକୁ ପୁଟିନ୍ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି ।

ସେଣ୍ଟ ପିଟର୍ସବର୍ଗରେ ରୁଷ ସାଂସଦଙ୍କୁ ସମ୍ବୋଧିତ କରି ପୁଟିନ୍ କହିଥିଲେ କି ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧରେ ଯଦି ଅନ୍ୟ କୌଣସି ରାଷ୍ଟ୍ର ମୁଣ୍ଡ ପୂରାଇବାକୁ ଚେଷ୍ଟା କରେ ତେବେ ରୁଷ ଏହାକୁ କଦାପି ବରଦାସ୍ତ କରିବ ନାହିଁ । ଯିଏବି ରୁଷ୍‌କୁ ଧମକ ଦେବ ତାହାକୁ ଆମେ ବିଜୁଳି ବେଗରେ ଜବାବ ଦେବୁ । ଏଥିାଇଁ ଆମ ପାଖରେ ସମସ୍ତ ଆବଶ୍ୟକୀୟ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମହଜୁଦ୍ ରହିଛି । ଆମ ପାଖରେ ଏଭଳି ହତିଆର ରହିଛି ଯାହାକି ଅନ୍ୟର ଗର୍ବ ଓ ଅହଂକାରକୁ କ୍ଷଣିକରେ ଚୂର୍ଣ୍ଣ କରିଦେବୁ । ଯଦି ୟୁକ୍ରେନ୍ ମାମଲାରେ ଅନ୍ୟ କୌଣସି ଦେଶ ଆମକୁ ଧମକ ଦେବ ତ ଆମେ ତାହା ଉପରେ ପରମାଣୁ ଆକ୍ରମଣ କରିବାକୁ ତିଳେବି ପଛଘୁଞ୍ଚା ଦେବୁନାହିଁ ।

ସୂଚନାଥାଉକି ରୁଷ୍‌ କିଛିଦିନ ପୂର୍ବରୁ ନୂତନ ସରମଟ ୨ ପରମାଣୁ ମିସାଇଲ୍‌ର ସଫଳ ପରୀକ୍ଷା କରି ସାରା ବିଶ୍ୱକୁ ଚେତାଇ ଦେଇଛି ଏବେ ରୁଷ ବିଶ୍ୱର କୌଣସି ବି ସ୍ଥାନକୁ ଅତି ସହଜରେ ଟାର୍ଗେଟ୍ ହିଟ୍‌ କରିପାରିବ । ପୁଟିନ୍ ପୁଣିଥରେ ୟୁକ୍ରେନ୍ ଉପରେ ଆକ୍ରମଣକୁ ସ୍ପେଶାଲ ଅପରେସନ୍‌ର ଆଖ୍ୟା ଦେଇଛନ୍ତି । ୟୁକ୍ରେନ୍ ଯୁଦ୍ଧ ଉପରେ ପୁଟିନ୍ ସଫେଇ ଦେଇ କହିଛନ୍ତି କି ୟୁକ୍ରେନ୍ ବାୟୋଲୋଜିକାଲ୍ ଅସ୍ତ୍ରଶସ୍ତ୍ର ବିକଶିତ କରିବାକୁ ପ୍ରଚେଷ୍ଟା ଚଳାଇଥିଲା । ତାହା ରୁଷ୍ ପାଇଁ ଆଗକୁ ଅଧିକ ଘାତକ ସାବ୍ୟସ୍ତ ହୋଇଥାନ୍ତା । ତେଣୁ ଆମ ଯବାନମାନେ ନିଜର ସମସ୍ତ ଲକ୍ଷ୍ୟକୁ ଆଗାମୀ ଦିନରେ ପୂରଣ କରିବେ ବୋଲି ପୁଟିନ୍‌ ଦୃଢ଼ୋକ୍ତି ବାଢ଼ିଛନ୍ତି ।