କୋହଲି ନିଜର ତ୍ରୁଟି ସଂଶୋଧନ କରି ପାରିବେ: ଯୁବରାଜ ସିଂ

ନୂଆଦିଲ୍ଲୀ : (ସଂକେତ ଟିଭି) ପୂର୍ବତନ ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ବହୁ ଦିନ ଧରି ନିଜର ଫର୍ମ ହରାଇବା ସହିତ ବର୍ତ୍ତମାନ ସବୁ ଫର୍ମାଟରେ ରନ ସଂଗ୍ରହ ପାଇଁ ସଂଗ୍ରାମ କରିବାକୁ ପଡୁଛି । ‌ଟେଷ୍ଟ ଓ ଦିନିକିଆରେ ବିଫଳ ହୋଇ ଆସୁଥିବା କୋହଲି ଟି- ୨୦ରେ ମଧ୍ୟ ଫେଳ ମାରିଛନ୍ତି । ତେଣୁ ଚଳିତ ଆଇପିଏଲରେ ତାଙ୍କର ବିଫଳ ଯାତ୍ରା ଜାରି ରହିଛି । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଆଜି ପର୍ଯ୍ୟନ୍ତ ଖେଳିଥିବା ୯ ଆଇପିଏଲ ମ୍ୟାଚରେ ମୋଟ ୧୨୮ ରନ ସଂଗ୍ରହ କରିଛନ୍ତି ।

ଏପରି ପରିସ୍ଥିତି ଦେଖି ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଛନ୍ତି ଯେ କୋହଲି ଆଉ ଆଇପିଏଲ ନ ଖେଳି କିଛି ଦିନ ବିଶ୍ରାମ ନିଅନ୍ତୁ । ନଚେତ ଏହି ରି ବିଫଳତାକୁ ସାଥୀ କରି ଫର୍ମକୁ ଫେରି ପାରିବେ ନାହିଁ ।

ସେହିପରି ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଲରାଉଣ୍ଡର ଯୁବରାଜ ସିଂ କହିଛନ୍ତି ଯେ ଗତ ତିନି ବର୍ଷ ଧରି କୋହଲିଙ୍କ ବ୍ୟାଟିଂରେ ଘୋର ଅବନ୍ନତି ଆସିଛି । ତେଣୁ ୨୦୧୯ରୁ ଆଜି ପର୍ଯ୍ୟନ୍ତ କୌଣସି ଫର୍ମାଟରେ ଶତକ ଅର୍ଜନ କରିବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ହୋଇ ପାରୁନି । ଚଳିତ ଆଇପିଏଲରେ କୋହଲି ଏକମାତ୍ର ବିଫଳ ଖେଳାଳି ଭାବେ ସବୁଠାରୁ ଖରାପ ପ୍ରଦର୍ଶନ କରି ଚାଲିଛନ୍ତି । ତେବେ କୋହଲି ଚାହିଁଲେ ନିଜର ତ୍ରୁଟି ସଂଶୋଧନ କରି ପାରିବେ । ନିଜର ପୂର୍ବ ଫର୍ମକୁ ମନ ପକାଇଲେ ସେ କେଉଁ ପରିସ୍ଥିତିରେ ଥିଲେ ‌ତାହା ଜାଣି ପାରିବେ । ଚଳିତ ଆଇପିଏଲର ଶେଷ ପାଞ୍ଚ ଇନିଂସରେ କୋହଲି ୯,୦,୦,୧,୧୨ ଓ ୧ରନ କରିଛନ୍ତି । ତେଣୁ ନିଜର ତ୍ରୁଟିକୁ ଅନୁଧ୍ୟାନ କଲେ ଫର୍ମକୁ ଫେରି ପାରିବେ ବୋଲି ବିଶ୍ୱାସ କରା ଯାଏ ।