ଯିବନି କରୋନା, ଆସୁଥିବ ଲହର

ଭୁବନେଶ୍ବର : (ସଂକେତ ଟିଭି) ସାରା ଦେଶରେ କରୋନାର ୪ର୍ଥ ଲହର ବେଶ୍‌ ଅନୁଭୂତ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବିଭିନ୍ନ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଉଛି । ବିଶେଷ କରି ୧୨ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା ଅନ୍ୟ ରାଜ୍ୟଗୁଡ଼ିକୁ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି । ଏକ୍ଷେତ୍ରରେ ଓଡ଼ିଶା ପକ୍ଷରୁ ୪ର୍ଥ ଲହରକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଏ ପରିସ୍ଥତିରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ବେଶ୍‌ ପ୍ରଣିଧାନଯୋଗ୍ୟ ବୋଲି କୁହାଯାଇପାରେ ।

ସେ କହିଛନ୍ତି କରୋନା କୁଆଡ଼େ ଯିବ ନାହିଁ, ଏମିତି ଲହର ଆସୁଥିବ । ଏଥିପାଇଁ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଏହି ଭୂତାଣୁ କେବେ ବି କୁଆଡ଼େ ଯିବ ନାହିଁ । କିନ୍ତୁ ଏହାର ରୋଗ ସଂକ୍ରମଣ କ୍ଷମତା ଧୀରେ ଧୀରେ ହ୍ରାସ ପାଇବ । ଯଦିବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଏ, ତେବେ ଏହାର ମୁକାବିଲା ପାଇଁ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି କରୋନା ମୁକାବିଲା କ୍ଷେତ୍ରରେ ଆମର ଯଥେଷ୍ଟ ଅଭିଜ୍ଞତା ରହିଛି । ଭିତ୍ତିଭୂମି ଅଛି, ଔଷଧ ଏବଂ ଅକ୍ସିଜେନ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଏବେ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ ହେଉଛି ଏଭିଡେନ୍ସ ବେସଡ୍ ଡିସିସନ ମେକିଂ ଅର୍ଥାତ୍‌ ଯେଉଁଠି ବଢୁଛି ସେଇଠି ପଦକ୍ଷେପ ନିଅ । ତେଣୁ ସେହି ଆଧାରରେ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇକହିଛନ୍ତି ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୫ ତଳେ ରହିଛି । ସେହି ରି ଆକ୍ଟିଭ କେସ୍‌ ୧୦୦ ତଳେ ଅଛି । ଡାକ୍ତରଖାନାରେ କୌଣସି ରୋଗୀ ନାହାଁନ୍ତି । ମାତ୍ର ୫/୬ଟି ଜିଲ୍ଲାରେ ନୂଆ ମାମଲା ଆସୁଥିବା ଦେଖିବାକୁ ମିଳୁଛି । ତେଣୁ ସଂକ୍ରମଣ ବଢ଼ିଲେ ଭୟଭୀତ ହେବାର କିଛି ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ସେ କହିଥିଲେ, ଜିଲ୍ଲାର ସବୁ ବିଭାଗକୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକମାନେ କୋଭିଡ୍ ନିୟମ ମାନିବାକୁ ସେ ପରାମର୍ଶ ଦେଇଛନ୍ତି । ଲୋକେ ନିୟମିତ ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ବୋଲି ସେ କହିବା ସହ କହିଥିଲେ ଯେ, ୩ୟ ଲହରରେ ଯଦିଓ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲା ଲୋକେ ଡାକ୍ତରଖାନାକୁ ଗଲେ ନାହିଁ କି ମୃତ୍ୟୁମୁଖରେ ପଡ଼ିଲେ ନାହିଁ । ଏ କ୍ଷେତ୍ରରେ ଟିକାକରଣକୁ ତ୍ୱରାନ୍ୱିତ କରାଯିବା ସହ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।