ଚୀନ କମ୍ପାନୀ ସାଓମୀର ୫ ହଜାର କୋଟିରୁ ଅଧିକ ସମ୍ପତ୍ତି ସିଜ୍ କଲା ଇଡି

ନୂଆଦିଲ୍ଲୀ : (ସଂକେତ ଟିଭି) ଚୀନ କମ୍ପାନୀ ସାଓମୀ ଟେକ୍ନୋଲଜି ଇଣ୍ଡିଆ ଲିମିଟେଡର ୫,୫୫୧.୨୭ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବିଦେଶୀ ମୁଦ୍ରା ପରିଚାଳନା ଆଇନ(ଫେମା) ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି । କମ୍ପାନି ଦ୍ୱାରା କରାଯାଇଥିବା ବେଆଇନ କାରବାର ସଂପର୍କରେ ଇଡି ଚଳିତ ବର୍ଷ ଫେବ୍ରୁଆରି ମାସରେ ତଦନ୍ତ ଆରମ୍ଭ ହୋଇଥିଲା।

ସୂଚନା ଅନୁସାରେ, ଚଳିତ ମାସ ଆରମ୍ଭରେ ସାଓମୀର ପୂର୍ବତନ ଅଧିକାରୀଙ୍କୁ ତଦନ୍ତ ପରିସରକୁ ଆଣିଥିଲା। ଭାରତର ବିଦେଶୀ ମୁଦ୍ରା ଆଇନ ଅନୁରୂପରେ କମ୍ପାନୀ ବ୍ୟବସାୟ କରୁଛି କି ନାହିଁ ତାହା ଜାଣିବା ଅଧିକାରୀଙ୍କୁ ଜେରା କରାଯାଇଥିଲା। ଏଜେନ୍ସି ଭାରତରେ କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ମନୁ କୁମାର ଜୈନଙ୍କୁ ହାଜର ହେବା ପାଇଁ କହିଥିଲା। ତେବେ ଏହା ଉପରେ ମନୁ ଜୈନ ଏବଂ ତଦନ୍ତକାରୀ ସଂସ୍ଥା କୌଣସି ଟିପ୍ପଣୀ କରିନଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ଦୁଇ ମାସରୁ ଅଧିକ ସମୟ ଧରି କମ୍ପାନୀର ବ୍ୟବସାୟକୁ ନେଇ ଯାଞ୍ଚ କରୁଛି।

ଅନ୍ୟପଟେ ସାଓମୀ କହିଛି, କମ୍ପାନୀ ଭାରତର ସବୁ ନିୟମକୁ ପାଳନ କରୁଛି । ଅଧିକାରୀଙ୍କ ତଦନ୍ତରେ କମ୍ପାନୀ ସମ୍ପୂର୍ଣ୍ଣ ସହଯୋଗ କରୁଛି । ତଦନ୍ତକାରୀ ଅଧିକାରୀଙ୍କୁ ଆବଶ୍ୟକୀୟ ସମସ୍ତ ସୂଚନା ପ୍ରଦାନ କରିବାରେ କମ୍ପାନୀ ସହଯୋଗ କରୁଛି।

ଯାଞ୍ଚରୁ ଜଣାପଡ଼ିଛି ଯେ, କମ୍ପାନି ୨୦୧୪ ରେ ଭାରତରେ ନିଜର ଶାଖା ଖୋଲି କାର୍ଯ୍ୟ ଆରମ୍ଭ କରିଥିଲା ​​ଏବଂ ୨୦୧୫ରୁ କମ୍ପାନି ବିଦେଶକୁ ଟଙ୍କା ପଠାଇବା ଆରମ୍ଭ କରିଥିଲା । କମ୍ପାନି ରୟାଲଟି ନାମରେ ଏକ ସାଓମି ଗ୍ରୁପ୍ କମ୍ପାନି ସମେତ ତିନୋଟି ବିଦେଶୀ ସଂସ୍ଥାକୁ ୫୫୫୧.୨୭ କୋଟିର ବୈଦେଶିକ ମୁଦ୍ରା ପଠାଇଥିଲା। ଚୀନରେ ଥିବା ମୂଳ କମ୍ପାନିର ନିର୍ଦ୍ଦେଶରେ ଭାରତରୁ ସାଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ରୟାଲଟି ନାଁରେ ବିଦେଶକୁ ଟଙ୍କା ପଠାଇଥିଲା ବୋଲି କହିଛି ଇଡି।

ଇଡି ଅଧିକାରୀଙ୍କ କହିବାନୁସାରେ, ସାଓମି ଇଣ୍ଡିଆ ୩ ବିଦେଶୀ ସଂସ୍ଥାକୁ ଟଙ୍କା ପଠାଇଥିଲେ ବି ସେମାନଙ୍କଠାରୁ କୌଣସି ସେବା ଗ୍ରହଣ କରିନଥିଲା। ଏହା ଫେମା ବିଭାଗ ୪ର ଉଲଂଘନ ଆଟେ। ବିଦେଶକୁ ଟଙ୍କା ପଠାଇବା ସମୟରେ କମ୍ପାନି ବ୍ୟାଙ୍କଗୁଡ଼ିକୁ ଭୁଲ ତଥ୍ୟ ମଧ୍ୟ ଦେଇଥିବା ସାମ୍ନାକୁ ଆସିଛି। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ସ୍ମାର୍ଟଫୋନ ବଜାରରେ ସାଓମୀର ୨୪ ପ୍ରତିଶତ କବଜା ରହିଛି। ଏହାସହ ୨୦୨୧ରେ ଭାରତରେ ସାଓମୀ ଫୋନ ସବୁଠୁ ଅଧିକ ବିକ୍ରି ହୋଇଥିଲା।