ତୃତୀୟ ସାମୁଖ୍ୟ ନୁହେଁ ଦ୍ୱିତୀୟ ଫ୍ରଣ୍ଟ ହିଁ ବିଜେପିକୁ ହରାଇ ପାରିବ : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : (ସଂକେତ ଟିଭି) ଦେଶରେ କେବଳ ଦ୍ବିତୀୟ ସାମୁଖ୍ଯ ବିଜେପିକୁ ପରାସ୍ତ କରିପାରିବ । କ‌ୌଣସି ତୃତୀୟ କିଂବା ଚତୁର୍ଥ ସାମ୍ମୁଖ୍ୟ ନିର୍ବାଚନ ଜିଣିବାରେ ସମର୍ଥ ହେବ ନାହିଁ ବୋଲି କହିଛନ୍ତି ନିର୍ବାଚନ ରଣନିତୀଜ୍ଞ ପ୍ରଶାନ୍ତ କିଶୋର ।

ପ୍ରଶାନ୍ତ କହିଛନ୍ତି ଯେ , ୨୦୨୪ ନିର୍ବାଚନରେ କୌଣସି ତୃତୀୟ ଓ ଚତୁର୍ଥ ସାମ୍ମୁଖ୍ୟ ଏ ଦେଶରେ ନିର୍ବାଚନ ଜିଣିପାରିବ ବୋଲି ମୁଁ କଦାପି ବିଶ୍ବାସ କରେନାହିଁ। ଯଦି ଆମେ ‘ବିଜେପି’କୁ ପ୍ରଥମ ସାମ୍ମୁଖ୍ୟ ବୋଲି ବିବେଚନା କରିବା, ତାକୁ ପରାସ୍ତ କରିବା ଲାଗି ‘ତୃଣମୂଳ କଂଗ୍ରେସ’କୁ ଦ୍ବିତୀୟ ସାମ୍ମୁଖ୍ୟ ହେବାକୁ ପଡ଼ିବ। ଯଦି କୌଣସି ଦଳ ‘ବିଜେପି’କୁ ପରାସ୍ତ କରିବାକୁ ଇଚ୍ଛା କରୁ ଥାଏ, ତାକୁ ଦ୍ବିତୀୟ ସାମ୍ମୁଖ୍ୟ ଭାବେ ଉଭା ହେବାକୁ ପଡ଼ିବ।

ସେ କହିଛନ୍ତି “ମୋତେ ଲାଗୁନି ଯେ ଏହି ଦେଶରେ କେହି ତୃତୀୟ କିମ୍ବା ଚତୁର୍ଥ ସାମୁଖ୍ୟ ନିର୍ବାଚନ ଜିତିପାରିବ। ଯଦି ଆମେ ବିଜେପିକୁ ପ୍ରଥମ ଦଳ ବୋଲି ଭାବୁଛନ୍ତି ତେବେ ତାକୁ ଯିଏ ପରାସ୍ତ କରିବ ତେବେ ସେ ହିଁ ହେବ ଦ୍ୱିତୀୟ ଦଳ।” କଂଗ୍ରେସ ଦେଶର ଦ୍ବିତୀୟ ବୃହତ ଦଳ ହୋଇଥିବାରୁ ସେ କଂଗ୍ରେସକୁ ଦ୍ବିତୀୟ ସାମ୍ମୁଖ୍ୟ ଭାବେ ବିବେଚନା କରୁଛନ୍ତି ବୋଲି କହିଥିଲେ ।

ବର୍ତ୍ତମାନ ଦେଶରେ ଆଞ୍ଚଳିକ ଦଳ ଜାତୀୟ ଦଳ ହେବାର ପ୍ରୟାଶରେ ରହିଛନ୍ତି। ସେଥିମଧ୍ୟରୁ ଆପ୍‌ ଓ ଟିଏମ୍‌ସି ଜୋର୍‌ସୋର୍‌ରେ ଲାଗି ପଡ଼ିଛନ୍ତି। ଯଦିଓ ଆପ୍‌କୁ ଗୋଟିଏ ରାଜ୍ୟରେ ସମ୍ପୂର୍ଣ୍ଣ ସଫଳତା ମିଳିଛି ହେଲେ ଟିଏମ୍‌ସି କିନ୍ତୁ କେବଳ ରାଜ୍ୟରେ ସୀମିତ ରହିଛି। ଏପରି ସ୍ଥଳରେ ଆଗାମୀ ୨୦୨୪ ନିର୍ବାଚନରେ ତୃତୀୟ ସାମୁଖ୍ୟ ହେଇ କେହି ବାହାରିବେ କି ? ବୋଲି ପ୍ରଶ୍ନ ଉଠିଛି।

ଏହା ପୂର୍ବରୁ ଜାତୀୟ ଗଣମାଧ୍ୟମ ଆଜତକକୁ ସାକ୍ଷାତ୍‌କାର ଦେଇ ପ୍ରଶାନ୍ତ କିଶୋର କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କର ଗୁଣାଗାନ କରିଥିଲେ। ସେ କହିଥିଲେ ଯେ କଂଗ୍ରେସକୁ ପ୍ରଶାନ୍ତ କିଶୋରଙ୍କର ଆବଶ୍ୟକତା ନାହିଁ। ମିଡିଆ ମୋତେ ବଡ଼ କରି ଦେଖାଉଛି। ନହେଲେ ମୋର ବ୍ୟକ୍ତିତ୍ୱ ଓ ଭୂମିକା ଏତେ ବଡ଼ ନୁହେଁ ଯେ ରାହୁଲ ଗାନ୍ଧୀ ମୋତେ ଗୁରୁତ୍ୱ ଦେବେ। କଂଗ୍ରେସକୁ କୌଣସି ପିକେର ଆବଶ୍ୟକତା ନାହିଁ ଦଳ ନିଜେ ସବୁ ନିଷ୍ପତ୍ତି ନେଇପାରିବ ବୋଲି ପ୍ରଶାନ୍ତ କିଶୋର କହିଥିଲେ।

ଦଳ ପ୍ରତି ତାଙ୍କ କାମକୁ ନେଇ ସେ କହିଥିଲେ ଯେ ଦଳକୁ ମୋତେ ଯାହା କହିବାର ଥିଲା ମୁଁ କହି ଦେଇଛି। ବାକି ଏହା ତାଙ୍କ ଉପରେ ନିର୍ଭର କରେ ଯେ ସେମାନେ ଏହା ଉପରେ କାମ କରିବେ କି ନାହିଁ। ତେବେ କଂଗ୍ରେସକୁ ଦିଆଯାଇଥିବା ଲିଡର୍ସିପ୍ ଫର୍ମୁଲାରେ ନା ରାହୁଲ ଗାନ୍ଧୀ ଥିଲେ ନା ପ୍ରିୟଙ୍କା ଗାନ୍ଧୀ। ତେବେ ଲିଡର୍ସିପ୍‌ରେ କାହା ନାଁ ରହିଛି ସେ ନେଇ କିନ୍ତୁ ପିକେ କିଛି କହି ନଥିଲେ।

ତେବେ କଂଗ୍ରେସକୁ ଦେଇଥିବା ତାଙ୍କର ପ୍ରେଜେଣ୍ଟେସନ ୮-୯ ଘଣ୍ଟା ଥିଲା। ଦଳ ମୋ କଥା ଶୁଣିଲା ସେଥିପାଇଁ କଂଗ୍ରେସକୁ ଧନ୍ୟବାଦ ଦେବା ସହିତ ସେ ଦଳରେ ମିଶିବାକୁ ଚାହିଁ ନଥିଲେ ବୋଲି ପିକେ କହିଥିଲେ।