ଚେକ୍ ବାଉନସ୍ ମାମଲାରେ କଠୋର ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : (ସଂକେତ ଟିଭି) ଦେଶରେ ଚେକ୍‌ ବାଉନସ୍ ମାମଲା ବଢିବଢ଼ି ଚାଲିଛି । ଏପରି ମାମଲାକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ପୋଷଣ କରିବା ସହ ଏକ ଏକ୍ସପର୍ଟ କମିଟିଙ୍କ ସୁାରିସ ଆଧାରରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଜବାବ ତଲବ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଦେଶରେ ଏପରି ବଢୁଥିବା ମାମଲାଗୁଡିକୁ ନେଇ ଏକ କମିଟି ସୁପ୍ରିମକୋର୍ଟଙ୍କୁ ସ୍ୱତନ୍ତ୍ର ନ୍ୟାୟାଳୟ ସ୍ଥାପନା ନିମନ୍ତେ ସୁପାରିଶ କରିଛନ୍ତି ।

ଏହି ସୁପାରିଶ ଅନୁସାରେ ଏପରି ମାମଲାର ଶୀଘ୍ର ସମାଧାନ ନିମନ୍ତେ ଆବଶ୍ୟକ ହେଲେ ଅବସରପ୍ରାପ୍ତ ବିଚାରପତିଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇପାରେ ବୋଲି କହିଥିଲେ । ଦେଶରେ ବଢୁଥିବା ଚେକ୍ ବାଉନ୍ସ ମାମଲାକୁ ଦେଖି ସୁପ୍ରିମକୋର୍ଟ ଏକ ଏକ୍ସପର୍ଟ କମିଟି ଗଠନ କରିଥିଲେ । ଏହି କମିଟିଙ୍କ ପରାମର୍ଶ ଆଧାରରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ହାଇକୋର୍ଟଙ୍କ ପରାମର୍ଶ ଲୋଡିଛନ୍ତି । ଯଦି କମିଟିଙ୍କ ପରାମର୍ଶ ଅନୁସାରେ କାମ କରାଯାଏ ତେବେ ଏ ବାବଦରେ ମୋଟ ୧୨୭ କୋଟି ଟଙ୍କାର ଖର୍ଚ୍ଚ ଆସିବ । ଏହି କାମ ଲାଗି ୧ ହଜାର ୮୨୬ ଅଧିକାରୀ ଓ ଜଜ୍‌ଙ୍କ ନିଯୁକ୍ତି କରିବାକୁ ହେବ ।

ଉଲ୍ଲେଖଯୋଗ୍ୟ ଯେ ସାରା ଦେଶର ବିଭିତ୍ତ କୋର୍ଟରେ ଏବେ ୪୪ ଲକ୍ଷରୁ ଅଧିକ ଚେକ୍ ବାଉନସ୍‌ ମାମଲା ବିଚାରଧୀନ ରହିଛି । ଏଥିରେ ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ସର୍ବାଧିକ ମାମଲା ରହିଛି । ରିପୋର୍ଟ ଅନୁଲାରେ ମହାରାଷ୍ଟ୍ରରେ ୫ଲକ୍ଷ ୬୦ ହଜାର କେସ୍ ବିଚାରାଧୀନ ଥିବା ବେଳେ ରାଜସ୍ଥାନରେ ୪ଲକ୍ଷ ୭୯ ହଜାର, ଗୁଜରାଟରେ ୪ଲକ୍ଷ ୩୭ ହଜାର, ଦିଲ୍ଲୀରେ ୪ଲକ୍ଷ ୮ ହଜାର ଓ ୟୁପିରେ ୨ ଲକ୍ଷ ୬୬ ହଜାର ଚେକ୍ ବାଉନସ୍ ମାମଲା ବିଚାରାଧୀନ ରହିଛି । ଏଣୁ ଏହି ସବୁ ମାମଲା ଯେତେଶୀଘ୍ର ସମାଧାନ ହୋଇ ପାରିବ ସେଥିପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି ।