କିଏ ଧରିବ ରାଜ୍ୟ କଂଗ୍ରେସର ମଂଗ

ଭୁବନେଶ୍ବର : (ସଂକେତ ଟିଭି) ରାଜ୍ୟ କଂଗ୍ରେସର କିଏ ଧରିବ ମଂଗ । ଏନେଇ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଭାରୀ ଚେଲାକୁମାରଙ୍କ ଅଧକ୍ଷତାରେ ଦୁଇ ଦିନ ଧରି ମାନସମନ୍ଥନ ହୋଇଥିଲା । ବିଧାୟକ ଓ ନେତାଙ୍କ ସହ ୱାନ-ଟୁ- ୱାନ ଆଲୋଚନା କରିଥିଲେ ପ୍ରଭାରୀ ଚେଲା କୁମାର । ହେଲେ, କାହାକୁ ପରବର୍ତି ପିସିସି ସଭାପତି କରାଯିବ ସେ ନେଇ ଚୁଡାନ୍ତ ନିଷ୍ପତି ହୋଇପାରିନଥିବା ସୂଚନା ମିଳିଛି । କାରଣ ଯେଉଁ ଚାରିଜଣଙ୍କୁ ପିସିସି ସଭାପତି କରିବା ପାଇଁ ଚର୍ଚ୍ଚା ହେଉଛି, ସେମାନଙ୍କ ମଧ୍ୟରୁ କୌଣସି ଜଣଙ୍କ ନାଁରେ ନେତାମାନେ ଏକମତ ହୋଇପାରି ନାହାଁନ୍ତି ।

ନେତାମାନେ ନିଜ ନିଜ ଇଛାରେ ସଭାପତି କରିବା ପାଇଁ ନାଁ କହିଛନ୍ତି । ଯାହାକି ଦଳ ପାଇଁ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି କରିଛି । ସବୁଠାରୁ ବଡ କଥା ହେଉଛି, ଯେଉଁ ଶରତ ପଟ୍ଟନାୟକଙ୍କୁ ପରିବର୍ତି ପିସିସି ମୁଖିଆ କରିବା ପାଇଁ ଏକପ୍ରକାର ନିଷ୍ପତି ହୋଇଥିବା କୁହାଯାଉଥିଲା, ତାଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି । ଏଥିସହ ସେ କିଛି ବର୍ଷ ହେବ ରାଜ୍ୟ ରାଜନୀତିରେ ସେଭଳି ସକ୍ରିୟ ଭୂମିକାରେ ନାହାଁନ୍ତି ।

ଅନ୍ୟପଟେ ବରିଷ୍ଠ ନେତା ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳ ନେତା ପଦରୁ ଓ କଂଗ୍ରେସ ବିଧାୟକ ଦଳ ତାରା ବାହିନିପତି ସଚେତକ ପଦରୁ ଇସ୍ତଫା ଦେଇଛନ୍ତି । ଗୋଟିଏ ପଟେ ପିସିସି ସଭାପତି ଚୟନକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଥିବାବେଳେ ନରସିଂହ ଓ ତାରାଙ୍କ ଏହି ପଦକ୍ଷେପ ଦଳ ପାଇଁ ଅଡୁଆକୁ ବଢ଼ାଇ ଦେଇଛି ।