ବିଡିଓଙ୍କୁ ଆକ୍ରମଣ ଅଭିଯୋଗରେ ଦେବଗଡ ବିଧାୟକ ଗିରଫ

ଦେବଗଡ : (ସଂକେତ ଟିଭି) ଦେବଗଡ ଜିଲ୍ଲା ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି। ତାଙ୍କୁ ଭୁବନେଶ୍ବରରେ ଗିରଫ କରାଯାଇ ଦେବଗଡ ଅଣାଯାଉଛି ବୋଲି ଦେବଗଡ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି । ବିଧାୟକଙ୍କ ସହ ତାଙ୍କର ତିନି ସହଯୋଗୀ ଗିରଫ ହୋଇଥିବା ହୋଇଥିବାର ସୂଚନା ରହିଛି।

ସୂଚନା ଅନୁସାରେ, ଗତକାଲି ପୂର୍ବାହ୍ନରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ବିଡିଓ ଶ୍ରୀ ଦଳପତିଙ୍କୁ ଦେବଗଡ଼ର ବିଧାୟକ ସୁବାସ ପାଣିଗ୍ରାହୀ ଆକ୍ରମଣ କରିଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଆକ୍ରମଣର ଶିକାର ହେବା ପରେ ଆହତ ଶ୍ରୀ ଦଳପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେ ସୁସ୍ଥ ହେବା ପରେ ଆକ୍ରମଣ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗରେ ଶ୍ରୀ ଦଳପତି କହିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭଳିଆଗୁଡ଼ି ଗ୍ରାମକୁ ଏକ ମାମଲାର ଯୁଗ୍ଗ ତଦନ୍ତ ପାଇଁ ପହଞ୍ଚି ଉକ୍ତ ଗ୍ରାମରେ ତଦନ୍ତ କରୁଥିବା ସମୟରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ୩ଟି ମୋବାଇଲ ଫୋନ୍ରୁ ଲଗାତାର କଲ୍ ଆସିଥିଲା। ଫୋନ୍ କରୁଥିବା ବ୍ୟକ୍ତିମାନେ ବିଡିଓଙ୍କୁ କହିଥିଲେ ଯେ, ବିଧାୟକଙ୍କୁ ଦେଖା କରନ୍ତୁ। କିନ୍ତୁ ବିଡିଓ ବ୍ୟସ୍ତ ଥିବାରୁ ପରେ ଦେଖା କରିବାକୁ କହିଥିଲେ।

ବିଡିଓ ଶ୍ରୀ ଦଳପତି କହିଛନ୍ତି ଯେ, ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ତାଙ୍କ ସହଯୋଗୀମାନଙ୍କ ସହିତ ସେଠାରେ ପହଞ୍ଚି ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଆଶାଳୀନ ବ୍ୟବହାର ସହିତ ଜାତିଆଣ ଆକ୍ଷେପ କରିଥିଲେ। ସେହିପରି ବଳପୂର୍ବକ ମତେ ଉଠାଇ ନେଇ ବିଧାୟକଙ୍କ ଗାଡ଼ି ଭିତରେ ଭର୍ତ୍ତି କରିଦେଇଥିଲେ। ସେଠାରୁ ଅପହରଣ କରିବାକୁ ଉଦ୍ୟମ କରୁଥିଲେ। ମୋର ମୋବାଇଲ୍ ଫୋନ୍, ଡାଏରୀ ଓ ଅନ୍ୟ ସରକାରୀ କାଗଜପତ୍ର ଲୁଟି ନେଇଥିବା ଅଭିଯୋଗ କରିଛନ୍ତି। ମୋର ସହଯୋଗୀମାନେ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ।

ଏଣେ ବିଡିଓ କୃଷ୍ଣଚନ୍ଦ୍ର ଦଳପତି ତାଙ୍କର ସାର୍ଟ କଲର୍ ଧରିବା ସହ ହତ୍ୟା ଧମକ ଦେଇଥିଲେ ବୋଲି ବିଧାୟକ ସୁବାସ ପାଣିଗ୍ରାହୀ ଦେବଗଡ଼ ଥାନାରେ ଅଭିଯୋଗ କରିଥିଲେ। ତେବେ ଏଯାଏ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନ ଥିବା ଜଣାଯାଇଛି। ଦେଖିବା କଥା କେବେ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଗିରଫ କରାଯାଉଛି।