ୟୁକ୍ରେନ ସହ ଯୁଦ୍ଧ କରିବ ରୁଷର ଡଲଫିନ

ମସ୍କୋ : (ସଂକେତ ଟିଭି) ରୁଷ ୟୁକ୍ରେନ ଯୁଦ୍ଧକୁ ଦୀର୍ଘ ୨ ମାସ ବିତିଗଲାଣି । ଏବେବି ଏହି ଯୁଦ୍ଧ ଶାନ୍ତ ପଡିବାର ନା ଧରୁନି । ୟୁକ୍ରେନ୍‌ର ଅଧିକାଂଶ ସହରକୁ ଧ୍ୱଂସ କରିସାରିଲାଣି ରୁଷ । ଏବେ କେବଳ ୟୁକ୍ରେନର ରାଜଧାନୀ କିଭ୍‌କୁ ଦଖଲ କରିବା ବାକି ରହିଛି । ଏହାରି ଭିତରେ ୟୁକ୍ରେନ୍‌ ସହ ଯୁଦ୍ଧ କରିବା ପାଇଁ ନୂଆ ହତିଆର ଆପଣାଇଛି ରୁଷ । ଯୁଦ୍ଧ ମଇଦାନକୁ ଓହ୍ଲାଇଛନ୍ତି ଡଲଫିନ୍ । ରୁଷ ୟୁକ୍ରେନ୍ ସହ ଲଢ଼ିବା ପାଇଁ ଡଲଫିନମାନଙ୍କୁ ଦେଇଛି ମିଲିଟାରୀ ଟ୍ରେନିଂ । ବ୍ଲାକ୍ ସିରେ ଥିବା ସାମରିକ ପ୍ରତିଷ୍ଠାନ ଉପରେ ନଜର ରଖିବା ପାଇଁ ଏହି ପ୍ରଶିକ୍ଷିତ ଡଲଫିନଗୁଡିକୁ ନିୟୋଜିତ କରିଛି ରୁଷ । ଏନେଇ ଆମେରିକାର ୟୁଏସ୍ ନାଭାଲ ଇନଷ୍ଟିଚ୍ୟୁଟ୍‌ ସ୍ୟାଟେଲାଇଟ୍ ଫଟୋ ଜରିଆରେ ସ୍ପଷ୍ଟ କରିଛି ।

ରିପୋର୍ଟ ମୁତାବକ, ରୁଷ ନୌସେନା ସେଭସ୍ତୋପୋଲ୍‌ ବନ୍ଦରର ଏଣ୍ଟ୍ରି ଗେଟ୍‌ରେ ଡଲଫିନ୍‌ମାନଙ୍କୁ ନିୟୋଜିତ କରିଛି । ସେଭସ୍ତୋପୋଲ୍ ବନ୍ଦର କ୍ରିମିଆର ଦକ୍ଷିଣ ଭାଗରେ ଅବସ୍ଥିତ, ଯାହାକୁ ରୁଷ ୨୦୦୪ରେ କବ୍‌ଜା କରିନେଇଥିଲା । ସାଟେଲାଇଟ୍‌ ଚିତ୍ରର ଅନାଲିଟିକ୍ ଅନୁଯାୟୀ, ଫେବ୍ରୁଆରୀରେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭରୁ ରୁଷ ଡଲଫିନର ଦୁଇଟି ବାଟାଲିୟନକୁ ତା’ର ନାଭାଲ ବେସ୍‌କୁ ପଠାଇଥିଲା ।

ସୂଚନା ମୁତାବକ, ମିଲିଟାରୀ ଦ୍ୱାରା ଟ୍ରେନିଂ ଦିଆଯାଇଥିବା ଏହି ଡଲଫିନଗୁଡିକ ରୁଷ ନାଭାଲ ବେସ୍‌ର ଏଣ୍ଟ୍ରି ପଏଣ୍ଟକୁ ଜଗି ରହିଛନ୍ତି । କୌଣସି ବି ଜାହାଜ, ବୁଡ଼ାଜାହାଜ କିମ୍ବା ଯୁଦ୍ଧ ଜାହାଜ ଏହି ସ୍ଥାନରୁ ହିଁ ରୁଷରେ ପ୍ରବେଶ କରିପାରିବ । ସେହିପରି ରୁଷର ଆଣବିକ ବୁଡ଼ାଜାହାଜ ଏବଂ ଯୁଦ୍ଧ ଜାହାଜ ସବୁବେଳେ ଏଠାରେ ଉପସ୍ଥିତ ଥାଏ, ଏଥିଯୋଗୁଁ ଡଲଫିନ୍ ର ମୁତୟନ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ସୋଭିଏତ ସଂଘ ସମୟରୁ ହିଁ ରୁଷ ଡଲଫିନ୍‌ମାନଙ୍କୁ ମିଲିଟାରୀ ଟ୍ରେନିଂ ଦେଇଆସୁଛି । ଏଥିପାଇଁ ଶୀତଳ ଯୁଦ୍ଧ ସମୟରେ ଏକ ବିଶେଷ ଟେକ୍‌ନିକ୍‌ ବିକଶିତ କରାଯାଇଥିଲା । ଡଲଫିନ୍‌ମାନେ ପାଣି ଭିତରେ ଶତ୍ରୁ ଟାର୍ଗେଟ୍‌ର ଶବ୍ଦ ଓ ରେଞ୍ଜକୁ ଚିହ୍ନଟ କରିପାରନ୍ତି । ରୁଷ ସେନା ଏଭଳି ଏକ ଟେକ୍‌ନିକ୍ ତିଆରି କରିଛି, ଯାହା ସାହାଯ୍ୟରେ ଡଲଫିନ୍‌ର ଗତିବିଧି ସିଗ୍‌ନାଲରେ ବଦଳି ଯାଏ ଏବଂ ସୈନ୍ୟମାନେ ଆଲର୍ଟ ହୋଇଯାଆନ୍ତି ।

କେବଳ ରୁଷ ନୁହେଁ ଆମେରିକା ଏବଂ ୟୁକ୍ରେନ ଭଳି ଦେଶ ମଧ୍ୟ ଡଲଫିନ୍‌କୁ ମିଲିଟାରୀ ଟ୍ରେନିଂ ଦେଉଛନ୍ତି । ୨୦୧୨ରେ ୟୁକ୍ରେନ୍ କିନ୍ତୁ ଏହି ପ୍ରୋଗ୍ରାମ ବନ୍ଦ କରିଦେଇଥିଲା । ଏହାପରେ ୟୁକ୍ରେନ୍‌ର ଟ୍ରେନି ଡଲଫିନ୍‌ଗୁଡିକୁ ୨୦୧୪ରେ ରୁଷ କବ୍‌ଜା କରିନେଇଥିଲା । ସେପଟେ ଆମେରିକା ସରକାର ଡଲଫିନ୍ ଓ ସାମୁଦ୍ରିକ ଘୋଡାଗୁଡିକୁ ଟ୍ରେନିଂ ଦେବା ପାଇଁ ପ୍ରାୟ ୨୮ ମିଲିଅନ ଡଲାର ଖର୍ଚ୍ଚ କରିଛନ୍ତି ।