ପିଆଇଏଲ ଏବେ ହୋଇଛି ବ୍ୟକ୍ତିଗତ ସ୍ୱାର୍ଥ ମାମଲା

ନୂଆଦିଲ୍ଲୀ : (ସଂକେତ ଟିଭି) ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମାନ୍ନା ଦେଶର ଅଦାଲତମାନଙ୍କରେ ବି ଚାଲିଥିବା ଅମୂଳକ ମକଦ୍ଦମା ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ‘ସାଧାରଣ ଜନସ୍ୱାର୍ଥ ମାମଲା’ ପିଆଇଏଲ ଧାରଣା ବର୍ତ୍ତମାନ ‘ବ୍ୟକ୍ତିଗତ ସ୍ୱାର୍ଥ ମାମଲା’ରେ ପରିଣତ ହୋଇଛି ଏବଂ ବେଳେବେଳେ ପ୍ରକଳ୍ପ ବନ୍ଦ କରିବା କିମ୍ବା ସରକାରୀ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବା ପାଇଁ ଏହାର ବ୍ୟାପକ ଅପବ୍ୟବହାର କରାଯାଉଛି ।

ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ଯୋଗଦେଇ ପ୍ରଧାନ ବିଚାରପତି ଜଷ୍ଟସ ରମନ୍ନା କହିଛନ୍ତି ଯେ ଆଇନ ଏବଂ ସମ୍ବିଧାନର ଅନୁପାଳନ ହେଉଛି ସୁଶାସନର ଚାବିକାଠି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଏହି ସମ୍ମିଳନୀରେ ପ୍ରଧାନ ବିଚାରପତି ଜଷ୍ଟସ ରମନ୍ନା କହିଥିଲେ ଯେ ଅମୂଳକ ମକଦ୍ଦମାର ସଂଖ୍ୟା ବୃଦ୍ଧି ଏବେ ନ୍ୟାୟିକ ବ୍ୟବସ୍ଥା ପାଇଁ ଚିନ୍ତାର କାରଣ ପାଲଟିଛି ।

ଉଦାହରଣ ସ୍ବରୂପ, ଜନସ୍ୱାର୍ଥ ମକଦ୍ଦମାର ଭଲ ଅର୍ଥ ଧାରଣା । ବେଳେବେଳେ ବ୍ୟକ୍ତିଗତ ସ୍ୱାର୍ଥ ମକଦ୍ଦମାରେ ପରିଣତ ହେଉଛି । ତେବେ, ଏଥିରେ କୌଣସି ସନ୍ଦେହ ନାହିଁ, ପିଆଇଏଲ୍‌ ଅନେକ ଜନସ୍ୱାର୍ଥ ପୂରଣ କରିଛି । ତଥାପି, ବେଳେବେଳେ ପ୍ରକଳ୍ପଗୁଡ଼ିକୁ ଅଟକାଇବା କିମ୍ବା ସରକାରୀ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବା ପାଇଁ ଏହାର ଅପବ୍ୟବହାର କରାଯାଉଛି । ଆଜିକାଲି, ଯେଉଁମାନେ ରାଜନୈତିକ ଉଦ୍ଦେଶ୍ୟ ସାଧନ ହେଉ କିମ୍ବା କର୍ପୋରେଟ୍‌ ପ୍ରତିଦ୍ୱନ୍ଦିତା ସମାଧାନ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ପିଆଇଏଲ୍‌ ଏକ ଉପକରଣ ହୋଇଯାଇଛି ।