କର୍କଟ ରୋଗର ଅସ୍ତ୍ରୋପଚାର ପାଇଁ ଛୁଟିରେ ଯିବେ ପୁଟିନ୍, ପାତ୍ରୁସେଭ୍ଙ୍କୁ ମିଳିବ ସାମୟିକ ଦାୟିତ୍ବ
ମସ୍କୋ : (ସଂକେତ ଟିଭି) : ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ କର୍କଟ ରୋଗର ଅସ୍ତ୍ରୋପଚାର କରାଇବା ଲାଗି କିଛି ଦିନ ଛୁଟିରେ ରହିବେ । ତେଣୁ, ୟୁକ୍ରେନ୍ ଯୁଦ୍ଧ ଦାୟିତ୍ବ ଗ୍ରହଣ କରିବାକୁ ସେ କଠୋରପନ୍ଥୀ ତଥା ‘ଏଫ୍ଏସ୍ବି’ ମୁଖ୍ୟ ନିକୋଲାଇ ପାତ୍ରୁସେଭ୍ଙ୍କୁ ମନୋନୀତ କରିପାରନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ପୁଟିନ୍ଙ୍କ ପେଟରେ କର୍କଟ ରୋଗ ହୋଇଛି ଏବଂ ସେ ୧୮ ମାସ ପୂର୍ବରୁ ପାର୍କିସନ୍ ରୋଗରେ ମଧ୍ୟ ପୀଡ଼ିତ ହୋଇଛନ୍ତି। ତେବେ ସେ ‘ଏଫ୍ଏସ୍ବି’ ମୁଖ୍ୟ ନିକୋଲାଇ ପାତ୍ରୁସେଭ୍ଙ୍କୁ ୟୁକ୍ରେନ ଉପରେ ଆକ୍ରମଣକୁ ସାମୟିକ ଭାବେ ନିୟନ୍ତ୍ରଣ କରିବା ପାଇଁ ମନୋନୀତ କରିବେ ।
୭୦ ବର୍ଷିୟ ପାତ୍ରୁସେଭ୍ ସମ୍ପ୍ରତି ରୁଷ୍ ନିରାପତ୍ତା ପରିଷଦ୍ର ସଚିବ ଅଛନ୍ତି। ଏଯାବତ୍ ମଧ୍ୟ ସେ ୟୁକ୍ରେନ୍ ଯୁଦ୍ଧର ମୁଖ୍ୟ ବିନ୍ଧାଣି ହୋଇ ରହିଛନ୍ତି। କିବ୍ ନାଜିବାଦଦ୍ବାରା ଉଦ୍ବୁଦ୍ଧ ବୋଲି ସେ ହିଁ ପୁଟିନ୍ଙ୍କ ମନରେ ଧାରଣା ସୃଷ୍ଟି କରାଇଥିଲେ ବୋଲି ‘ଡେଲି ମଲେ୍’ ରିପୋର୍ଟ କରିଛି।
କ୍ରେମ୍ଲିନ୍ର ଉକ୍ତ ବ୍ୟକ୍ତିଜଣକ କହିଛନ୍ତି, ଅସ୍ତ୍ରୋପଚାର ପରେ ପୁଟିନ୍ କେତେ ଦିନ କ୍ଷମତାରେ ରହିବେ ନାହିଁ ତାହା ମୁଁ ଠିକ୍ଭାବେ ଜାଣିନାହିଁ। ମୋର ମନେହୁଏ ଖୁବ୍ ସ୍ବଳ୍ପ ସମୟ ପାଇଁ। ଅସ୍ତ୍ରୋପଚାର ପରେ ଯେଉଁ ଦୁଇ ତିନି ଦିନ ପାଇଁ ପୁଟିନ୍ କ୍ଷମତାରେ ରହିବେ ନାହିଁ ଦେଶର ପ୍ରକୃତ ପରିଚାଳନା ଭାର କେବଳ ପାତ୍ରୁସେଭ୍ଙ୍କ ହାତରେ ରହିବ।
ଡେଲି ମେଲ ରିପୋର୍ଟରେ କୁହାଯାଇଛି ଯେ ଏଭଳି ପଦକ୍ଷେପ ଆଶ୍ଚର୍ଯ୍ୟଜନକ ହେବ । କାରଣ ଋଷର ସମ୍ବିଧାନ ଅନୁଯାୟୀ କ୍ଷମତା ସମ୍ପୂର୍ଣ୍ଣ ଭାବରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିବା ଉଚିତ ।
ମେ ୯ ତାରିଖରେ ରେଡ୍ ସ୍କୋୟାର୍ରେ ଆୟୋଜନ ହେଉଥିବା ବିଜୟ ଦିବସ (ଦ୍ବିତୀୟ ବିଶ୍ବଯୁଦ୍ଧରେ ରୁଷ୍ର ବିଜୟ) ଲାଗି ପୁଟିନ ନିଜର ଅସ୍ତ୍ରୋପଚାର ବିଳମ୍ବ କରାଇଛନ୍ତି ବୋଲି ମଧ୍ୟ ‘ଡେଲି ମେଲ୍’ ରିପୋର୍ଟ କରିଛି। ଏପ୍ରିଲ୍ ଦ୍ବିତୀୟ ସପ୍ତାହରେ ତାଙ୍କର ଅସ୍ତ୍ରୋପଚାର ହେବାର ଥିଲା। ଅସ୍ତ୍ରୋପଚାର ଜରୁରୀ ନ ଥିଲେ ବି ବିଳମ୍ବ କରାଇବା ଅନୁଚିତ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥିଲେ। ପୁଟିନ୍ ମଧ୍ୟ ଶୀଘ୍ର ଅସ୍ତ୍ରୋପଚାର କରାଇବାକୁ ରାଜି ହୋଇଥିଲେ।