ଇଂଷ୍ଟାଗ୍ରାମ ସେନସେସନ୍ କିଲି ପଲଙ୍କ ଉପରେ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ: (ସଂକେତ ଟିଭି) ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କ ଉପରେ ଜୋରଦାର ଆକ୍ରମଣ ହୋଇଛି । ରିପୋର୍ଟ ଅନୁଯାୟୀ, ତାଞ୍ଜାନିଆ ବାସିନ୍ଦା କିଲି ପଲଙ୍କ ୫ଜଣ ଦୁର୍ବୁତ୍ତ ଅତର୍କିତ ଆକ୍ରମଣ କରିଛନ୍ତି । ଠେଙ୍ଗା, ବାଡି ଏବଂ ଅନ୍ୟ ମାରଣାସ୍ତ୍ରରେ ମରଣାତକ ଆକ୍ରମଣ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ହାତରେ ଗଭିର ଆଘାତ ଲାଗିଛି । ସୋସିଆଲ ମିଡିଆରେ କିଲି ନିଜେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । ଫଟୋ ସେୟାର କରି ସେ ଏ ବିଷୟରେ ଜଣାଇଛନ୍ତି ।

ଅନ୍ୟପଟେ ତାଙ୍କ ଭଉଣି ନିମା ପଲ ତାଙ୍କ ଇଂଷ୍ଟାଗ୍ରାମ୍ ଆଇଡିରେ ହସ୍ପିଟାଲ ବେଡରୁ ଭାଇର ଭିଡିଓ ସେୟାର କରିଛନ୍ତି । ଭାଇ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବା ପାଇଁ ପ୍ରାର୍ଥନା କରିବାକୁ ପ୍ରଶଂସକଙ୍କ ନିକଟରେ ଅନୁରୋଧ କରିଛନ୍ତି । କିଲି ପଲ୍ ତାଙ୍କ ଭଉଣିଙ୍କ ଆକାଉଣ୍ଟରୁ ଏକ ପୋଷ୍ଟ କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଭାବବିହୋଳ ହୋଇ ଲେଖିଛନ୍ତି, ମୋ ଉପରେ ୫ଜଣ ଲୋକ ଆକ୍ରମଣ କରିଛନ୍ତି । ମୋ ଡାହାଣ ହାତ ଏବଂ ଗୋଡରେ ଜୋରେ ଆଘାତ ଲାଗିଛି । ହାତର ଆଙ୍ଗୁଠିରେ ୫ଟି ଷ୍ଟିଜ୍ ପଡିଛି । ଭଗବାନଙ୍କ ଦୟାରୁ ମୁଁ ବଞ୍ଚିଯାଇଛି । ମୋ ପାଇଁ ପ୍ରାର୍ଥନା କରନ୍ତୁ ମୁଁ ଯେପରି ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବି ।

ଅନ୍ୟ ଏକ ଷ୍ଟୋରୀରେ ସେ ଲେଖିଛନ୍ତି ଯେ, ଲୋକେ ମୋତେ ତଳକୁ ଖସାଇବାକୁ ଚାହୁଁଛନ୍ତି । କିନ୍ତୁ ଯେ ସତରେ ଥାଏ ତାର କିଛି ହୁଏନି । ଭଗବାନଙ୍କ ଆଶିର୍ବାଦ ମୋ ଉପରେ ଅଛି ସେଥିପାଇଁ ମୁଁ ସଫଳତା ପାଉଛି । ମୁଁ କେମିତି ଖୁବ ଶୀଘ୍ର ଆରୋଗ୍ୟ ଲାଭ କରିବି ମୋ ପାଇଁ ପ୍ରାର୍ଥନା କରନ୍ତୁ ।

ସୂଚନା ଥାଉକି, କିଲି ତାଙ୍କ ଡ୍ୟାନ୍ସ ଭିଡିଓ ଯୋଗୁଁ ବିଶ୍ୱବ୍ୟାପୀ ବେଶ୍ ଫେମସ ହୋଇଛନ୍ତି । କେବଳ ସାଧାରଣ ଜନତା ନୁହଁନ୍ତି ଇଂଷ୍ଟାଗ୍ରାମରେ ସେନସେସନ୍ ପାଲଟିଥିବା କିଲି ପଲ୍ ଭାରତୀୟ ରାଷ୍ଟ୍ରଦୂତଙ୍କ ଦ୍ୱାରା ସମ୍ମାନିତ ହେବା ସହିତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ‘ମନକୀ ବାତରେ’ କାର୍ଯ୍ୟକ୍ରମରେ ତାଙ୍କ ପ୍ରଶଂସା କରିଥିଲେ ।