ପିସିସି ସଭାପତି ପରିବର୍ତ୍ତନ : କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ବର : (ସଂକେତ ଟିଭି) ରାଜ୍ୟରେ କଂଗ୍ରେସର ସ୍ଥିତି ଓ ପିସିସି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ କଂଗ୍ରେସ ବିଧାୟକମାନଙ୍କୁ ଦିଲ୍ଲୀ ଡାକରା ହୋଇଛି । ଆସନ୍ତା ୫ ତାରିଖରେ ଦିଲ୍ଲୀ ପହଞ୍ଚିବାକୁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସବୁ ବିଧାୟକଙ୍କୁ ଭେଟି ଦଳୀୟ ପ୍ରସଙ୍ଗରେ ଆଲୋଚନା କରିବେ। ଏହାପରେ ପିସିସି ସଭାପତି ଚୟନ ନେଇ ବାଟ ଫିଟିପାରେ ବୋଲି ଅନୁମାନ କରାଯାଉଛି। ଏନେଇ ବରିଷ୍ଠ ନେତା ସୁର ରାଉତରାୟ ସୂଚନା ଦେଇଛନ୍ତି ।

ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ୫ ତାରିଖରେ ଦିଲ୍ଲୀ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି। ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ଦିଲ୍ଲୀରୁ ଡକରା ଆସିଛି। ସେଥିପାଇଁ ପ୍ରଥମେ ୯ ବିଧାୟକ ବସି ଆଲୋଚନା କରିବୁ। ସୋନିଆ ଓ ରାହୁଲଙ୍କ ପାଖରେ କ’ଣ ଏଜେଣ୍ଡା ରହିବ ନିଷ୍ପତ୍ତି ନେବୁ। ୯ ବିଧାୟକଙ୍କ ମଧ୍ୟରୁ କେହି ପିସିସି ସଭାପତି ହେଲେ ଭଲ ହେବ। ତଥାପି ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଯାହା ନିଷ୍ପତ୍ତି ନେବେ ଆମେ ତାକୁ ମାନିବାକୁ ରାଜି ଅଛୁ।

ଖବର ଅନୁଯାୟୀ, ରାଜ୍ୟରେ କଂଗ୍ରେସର ସ୍ଥିତି ଓ ପିସିସି ପରିବର୍ତ୍ତନ ନେଇ ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଗସ୍ତରେ ଆସିଥିଲେ । ଏହି ସମୟରେ ସବୁ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ । ତଥାପି ଦଳୀୟ ଅସନ୍ତୋଷ ପଦାରେ ପଡିଥିଲା । ତେବେ ପ୍ରଭାରୀ ଚେଲ୍ଲା କୁମାର ବୈଠକ ପରେ ରିପୋର୍ଟ ହାଇକମାଣ୍ଡକୁ ଦେବେ ବୋଲି ସୂଚନା ଦେଇଥିଲେ । ଆଉ ଏବେ ସବୁ ବିଧାୟକଙ୍କୁ ଦିଲ୍ଲୀ ଡାକରା ହୋଇଛି । ରାହୁଲ ଗାନ୍ଧୀ ରାଜ୍ୟରେ ଦଳର ସ୍ଥିତି ନେଇ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ତେବେ ରାହୁଲ ଗାନ୍ଧୀଙ୍କ ଆଲୋଚନା ପରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଥମିବ ନା ବଢିବ । ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।