ନେପାଳର ନାଇଟ୍ କ୍ଲବରେ ନଜର ଆସିଲେ ରାହୁଲ ଗାନ୍ଧୀ, ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ : (ସଂକେତ ଟିଭି) କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କାଲି ନେପାଳ ଗସ୍ତରେ ଅଛନ୍ତି । ରାହୁଲ ତାଙ୍କର ଜଣେ ବନ୍ଧୁଙ୍କ ବିବାହରେ ସାମିଲ ହେବା ପାଇଁ ନେପାଳ ଯାଇଥିବା ଜଣାପଡ଼ିଛି । ତେବେ ରାହୁଲଙ୍କ ନେପାଳ ଗସ୍ତର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓରେ କାଠମାଣ୍ଡୁର ପ୍ରସିଦ୍ଧ ପବ୍ ‘ଲର୍ଡ ଅଫ୍ ଦି ଡ୍ରିଙ୍କସ’ରେ ରାହୁଲ ନଜର ଆସୁଛନ୍ତି । ଏହାର ବ୍ୟାକଗ୍ରାଉଣ୍ଡରେ ଲୋକେ ଲାଉଡ ମ୍ୟୁଜିକରେ ନାଚୁଛନ୍ତି । ଆଉ ଏହାକୁ ନେଇ ବିଜେପି ରାହୁଲଙ୍କୁ ଟାର୍ଗେଟ କରିଛି ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ୫ ଦିନିଆ ବ୍ୟକ୍ତିଗତ ଯାତ୍ରା ଲାଗି ସୋମବାର ନେପାଳରେ ପହଂଚିଛନ୍ତି । ଏହି ସମୟରେ ସେ କିଛି ପର୍ଯ୍ୟଟନ ସ୍ଥଳୀ ବି ଭ୍ରମଣ କରିପାରନ୍ତି । ରାହୁଲ ତାଙ୍କ ସାମ୍ବାଦିକ ବନ୍ଧୁ ସୁମନିମା ଉଦାସଙ୍କ ବିବାହରେ ସାମିଲ ହେବା ପାଇଁ କାଠମାଣ୍ଡୁ ଯାଇଛନ୍ତି ।

ତେବେ ଭାଇରାଲ ଭିଡିଓକୁ ନେଇ ବିଜେପି ମୁଖପାତ୍ର ଶୋହଜାଦ୍ ପୁନଓ୍ବାଲା କହିଛନ୍ତି, ଏଠାରେ ରାହୁଲ ଗାନ୍ଧୀ କ’ଣ କରୁଛନ୍ତି, ହେଇଥାଇପାରେ ଏହା ତାଙ୍କର ବ୍ୟକ୍ତିଗତ ମାମଲା । କିନ୍ତୁ ଯେତେବେଳେ ରାଜସ୍ଥାନର ଯୋଧପୁରରେ ହିଂସାକାଣ୍ଡ ହେଉଛି, ସେଠାରେ ବି କଂଗ୍ରେସର ସରକାର ଅଛି, ତଥାପି ରାଜସ୍ଥାନ ଜଳୁଛି । ଏହା ଉପରେ ଚିନ୍ତା ବ୍ୟକ୍ତ କରିବା ବଦଳରେ ରାହୁଲ ଗାନ୍ଧି ନେପାଳରେ ନାଇଟ କ୍ଲବରେ ପାର୍ଟି କରୁଛନ୍ତି । ଲାଇଫକୁ ଏନଜୟ କରୁଛନ୍ତି । ହେଲେ ସେ ଭୁଲିଯାଉଛନ୍ତି, ଯେ ତାଙ୍କୁ ଲୋକଙ୍କ ସମସ୍ୟା ବିଷୟରେ ଜାଣିବା ଦରକାର ।

ପୁନଓ୍ୱାଲା ଆହୁରି କହିଛନ୍ତି, କଂଗ୍ରେସ ପାର୍ଟି ଶେଷ ହୋଇଯାଇଛି । କିନ୍ତୁ ରାହୁଲ ଗାନ୍ଧୀଙ୍କ ପାର୍ଟି ସେଭଳି ଚାଲିଛି । ସେ ରାଜନୀତିରେ ଗମ୍ଭୀର ନୁହନ୍ତି । ଯେତେବେଳେ ତାଙ୍କର ପାର୍ଟି ଓ ଦେଶର ଲୋକଙ୍କୁ ତାଙ୍କର ଦରକାର, ସେତେବେଳେ ସେ ନେପାଳରରେ ମଉଜ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ ରାହୁଲ ଗାନ୍ଧୀଙ୍କ ଭିଡିଓ ସେୟାର କରି ସମାଲୋଚନା କରିଛନ୍ତି। ଭାକେସନ୍‌, ପାର୍ଟି, ହଲିଡେ, ପ୍ଲେଜର ଟ୍ରିପ୍‌, ପ୍ରାଇଭେଟ୍ ଫରେନ୍ ଭିଜିଟ୍‌ ଆଦି ଏବେ ଦେଶ ପାଇଁ କୌଣସି ନୂଆ କଥା ନୁହେଁ।

ଅନ୍ୟପକ୍ଷେ ବିଜେପିର ଅନ୍ୟ ନେତା କପିଲ ମିଶ୍ରା ଟ୍ୱିଟ୍ କରି କହିଛନ୍ତି, ଏହା ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ମାମଲା ନୁହେଁ । ସେ ଓଲଟା ପଚାରିଛନ୍ତି, ରାହୁଲ ଗାନ୍ଧୀ କାହା ସହିତ ଅଛନ୍ତି? କ’ଣ ଚାଇନାର ଏଜେଣ୍ଟଙ୍କ ସହିତ ଅଛନ୍ତି ?

ସେହିଭଳି ବିଜେପିର ସୋସିଆଲ ମିଡିଆ ଇନଚାର୍ଜ ଅମିତ ମାଲବୀୟ ଟ୍ୱିଟ୍‌ କରି କହିଛନ୍ତି, ଯେତେବେଳେ ମୁମ୍ବାଇ ଉପରେ ଆକ୍ରମଣ ହୋଇଥିଲା, ସେତେବେଳେ ରାହୁଲ ଗାନ୍ଧୀ ନାଇଟ କ୍ଲବରେ ଥିଲେ । ଏବେ ଯେତେବେଳେ ତାଙ୍କର ପାର୍ଟି ସଙ୍କଟରେ ରହିଛି, ସେତେବେଳେ ସେ ନାଇଟ କ୍ଲବରେ ଅଛନ୍ତି । ତାଙ୍କ ଭିତରେ ଏହି ନିରନ୍ତରତା ପୂର୍ବରୁ ରହିଆସିଛି ।

ସୁମାନିମା କିଏ ?
ନେପାଳର ସୁମନିମା ଉଦାସ ଆମେରିକାର ଲି ୟୁନିଭରସିଟିରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ଏବଂ ଅକ୍ସଫୋର୍ଡ ୟୁନିଭରସିଟିରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ ସିଏନଏନର ଆନ୍ତର୍ଜାତୀୟ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି । ସେ ରାଜନୀତି, ଅର୍ଥନୈତିକ-ସାମାଜିକ, ପରିବେଶ ଏବଂ ସାଧାରଣ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି। ‘ଦିଲ୍ଲୀ ଗ୍ୟାଙ୍ଗ ରେପ୍ ‘ ମାମଲାରେ ସୁମନିମା ରିପୋର୍ଟିଂ କରିଥିଲେ।