ଏମଏନଏସ୍ ମୁଖ୍ୟ ରାଜ ଠାକ୍ରେଙ୍କ ବିରୋଧରେ ମାମଲା ରୁଜୁ
ମୁମ୍ବାଇ : (ସଂକେତ ଟିଭି) ଉତ୍ତେଜକ ଭାଷଣ ଦେବା ଅଭିଯୋଗରେ ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକ୍ରେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଠାକ୍ରେଙ୍କ ସହିତ ଅନ୍ୟ ୩ ଜଣଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ରବିବାର ଔରଙ୍ଗାବାଦରେ ଏକ ରାଲିରେ ରାଜ ଠାକ୍ରେ ହିଂସା ଉଦ୍ରେକକାରୀ ଭାଷଣ ଦେଇଥିବା ଅଭିଯୋଗ ହୋଇଛି। ରାଲିର ଆୟୋଜକଙ୍କ ନାଁରେ ମଧ୍ଯ ଥାନାରେ ମାମଲା ହୋଇଛି।
ରାଜ ଠାକ୍ରେ ଓ ଅନ୍ୟ ୩ ଜଣଙ୍କ ବିରୋଧରେ ଆଇପିସି ଧାରା ଅନୁସାରେ, ହିଂସା ସୃଷ୍ଟି କରିବା ପାଇଁ ଜାଣିଶୁଣି ଉକ୍ସାଇଲା ଭଳି ଭାଷଣ ଦେବା ଅଭିଯୋଗରେ ଔରଙ୍ଗାବାଦ ପୁଲିସ ମାମଲା ରୁଜୁ କରିଛି।
ଏହା ପୂର୍ବରୁ ସମସ୍ତ ମସ୍ଜିଦ୍ରେ ଲାଉଡ୍ସ୍ପିକର ହଟାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ରାଜ ଠାକରେ ଅଲ୍ଟିମେଟମ ଦେଇଥିଲେ । ମେ ୪ ସୁଧା ଲାଉଡ୍ସ୍ପିକର ନ ହଟାଇଲେ ସମସ୍ତଙ୍କ ମସ୍ଜିଦ୍ ସାମ୍ନାରେ ହନୁମାନ ଚାଳିଶା ପଢାଯିବ ବୋଲି କହିଥିଲେ।
ରବିବାର ମଧ୍ୟ ରାଲିକୁ ସମ୍ବୋଧନ କରି ଆଉଥରେ ଡେଡ୍ଲାଇନ୍ ବିଷୟରେ ସରକାରଙ୍କୁ ଚେତାଇ ଦେଇଥିଲେ। ସେ କହିଥିଲେ ” ମେ ୩ ତାରିଖରେ ଇଦ୍। ମୁଁ ପର୍ବପର୍ବାଣୀକୁ ନଷ୍ଟ କରିବାକୁ ଚାହୁଁ ନାହିଁ। କିନ୍ତୁ ମେ ୪ ତାରିଖ ପରେ ଆମେ କିଛି ଶୁଣିବୁ ନାହିଁ। ଯଦି ଆମର ଦାବି ଶୁଣାଯିବ ନାହିଁ ତେବେ ଆମ ଦୁଇଗୁଣା ଅଧିକ ସାଉଣ୍ଡ ଦେଇ ହନୁମାନ ଚାଳିଶା ପଢ଼ିବୁ। ଯଦି ମହାରାଷ୍ଟ୍ର ସରକାର ଆମ ଅନୁରୋଧ ବୁଝିପାରୁନ, ତେବେ ଆମେ ଆମ ହିସାବରେ କାମ କରିବୁ। ମେ ୪ ତାରିଖରେ ମୁଁ ଚୁପ୍ ହୋଇ ବସିପାରିବି ନାହିଁ। ଯଦି ସେ ପର୍ଯ୍ୟନ୍ତ ଲାଉଡ୍ସ୍ପିକର ହଟାଯିବ ନାହିଁ। ଆମେ ତୁମକୁ ମହାରାଷ୍ଟ୍ରର ଶକ୍ତି ଦେଖାଦେଇଦେବୁ।”
ସେ ଆହୁରି ମଧ୍ୟ କହିଥିଲେ ” ଯଦି ଆମ ଦାବି ପୂରଣ ନହେବ ତେବେ ମହାରାଷ୍ଟ୍ରରେ କଣ ହେବ ସେଥିପାଇଁ ଆମେ ଦାୟୀ ହେବୁ ନାହିଁ। ମୁଁ ପୁଣିଥରେ କହିବାକୁ ଚାହୁଁଛି ଯେ ଏହା କୌଣସି ଧାର୍ମିକ ବିଷୟ ନୁହେଁ ଏହା ଏକ ସାମାଜିକ ବିଷୟ। ଏହାକୁ ଧାର୍ମିକ ବନାଇବାକୁ ଚେଷ୍ଟା କଲେ ଆମେ ବି ସମାନ ଢଙ୍ଗରେ ଏହାର ଉତ୍ତର ଦେବୁ।”
ତେବେ ଦଙ୍ଗା ଉକ୍ସାଇବା କଥାକୁ ଆଗୁଆ ମ୍ୟାନେଜ୍ କରି ରାଜ ଠାକ୍ରେ କହିଥିଲେ “ରାଜ୍ୟରେ ଦଙ୍ଗା ଉକ୍ସାଇବା ପାଇଁ କୌଣସି ଈଚ୍ଛା ନାହିଁ। କିନ୍ତୁ ଲାଉଡସ୍ପିକର ଲୋକଙ୍କ ଜୀବନରେ ସମସ୍ୟା ସୃଷ୍ଟି କରୁଛି। ଯଦି ଉତ୍ତର ପ୍ରଦେଶ ଲାଉଡ୍ସ୍ପିକର ହଟାଇ ପାରିଲା, ତେବେ ମହାରାଷ୍ଟ୍ର କାହିଁକି ନୁହେଁ ? ସବୁ ଆଇନଗତ।”
ସେ ସବୁ ଧାର୍ମିକ ସ୍ଥଳରେ ଲାଉଡ୍ସ୍ପିକର ହଟାଇବାକୁ ଚାହାଁନ୍ତି। କିନ୍ତୁ ଥରେ ମସ୍ଜିଦ୍ରେ ଲାଉଡ୍ସ୍ପିକର ହଟିଲେ ଏହା ସମ୍ଭବ ବୋଲି ସେ କହିଛନ୍ତି।