୨୯ରେ ଅହମ୍ମଦାବାଦରେ ଆଇପିଏଲ୍ ଫାଇନାଲ୍
ମୁମ୍ବାଇ : (ସଂକେତ ଟିଭି) ଆଇପିଏଲ୍ ଫାଇନାଲ ଓ ପ୍ଲେ ଅଫ୍ ମ୍ୟାଚ୍ ପାଇଁ ଶିଡ୍ୟୁଲ୍ଡ ଘୋଷଣା କରିଛି ବିସିସିଆଇ । ତା ସହିତ ମହିଳା ଟି-୨୦ ମ୍ୟାଚର ଟାଇମ ଟେବୁଲ୍ ବି ଘୋଷଣା କରିଛି କ୍ରିକେଟ ବୋର୍ଡ । ମେ ୨୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ପ୍ଲେଅଫ୍ ମୁକାବିଲା ଅହମଦାବାଦ ଓ କୋଲକାତାରେ ଖେଳାଯିବ । କ୍ୱାଲିଫାୟର ୧ ଓ ଏଲିମିନେଟର ମ୍ୟାଚ୍ କୋଲାତାରେ ଆୟୋଜିତ ହେବ । ସେହିପରି କ୍ୱାଲିଫାୟର-୨ ଓ ଅ ।ଇପିଏଲ୍ ଫାଇନାଲ ଅହମଦାବାଦରେ ଖେଳାଯିବ ବୋଲି ବିସିସିଆଇ ଘୋଷଣା କରିଛି । ବିସିସିଆଇ ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ମେ ୨୪ରେ ଇଡେନ ଗାର୍ଡେନ୍ରେ ପ୍ଲେ ଅଫ୍ ମ୍ୟାଚ୍ ଖେଳାଯିବ । ୨୯ ତାରିଖରେ ଅହମଦାବାଦରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଇଡେନ୍ ଗାର୍ଡେନରେ ମେ ୨୪ ତାରିଖରେ କ୍ୱାଲିଫାୟର ୧ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ମେ ୨୫ ତାରିଖରେ ଏଲିମିନେଟର ମ୍ୟାଚ୍ ଖେଳାଯିବ ।
ସେହିପରି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କ୍ୱାଲିଫାୟର ୨ ମ୍ୟାଚ୍ ମେ ୨୭ରେ ଖେଳାଯିବାକୁ ଥିବା ବେଳେ ଫାଇନାଲ ୨୯ରେ ହେବ । ସେହିପରି ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ବି ସିଡ୍ୟୁଲ୍ଡ ଘୋଷଣା କରିଛି ବିସିସିଆଇ । ମିନି ଆଇପିଏଲ୍ କୁହାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ ମେ ୨୩ ତାରିଖରୁ ଆରମ୍ଭ ହେବ । ଏଥିରେ ୩ଟି ଟିମ୍ ଭାଗ ନେବେ । ସୁପରନୋୱାଜ୍, ଟ୍ରାଏଲବ୍ଲାଜର୍ସ ଓ ବେଲୋସିଟି ଟିମ୍ ଟି-୨୦ ଚ୍ୟାଲେଞ୍ଜର ଏହି ସଂସ୍କରଣ ଖେଳିବେ । ଏଥିରେ ୩ଟି ଲିଗ୍ ମ୍ୟାଚ୍ ଖେଳାଯିବା ସହି ଗୋଟିଏ ଫାଇନାଲ ମୋଟ ୪ ମ୍ୟାଚ୍ ଖେଳାଯିବ ।
ପୁଣେର ଏମସିଏ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ମେ ୨୩ ତାରିଖରେ ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୨୪ରେ ଦ୍ୱିତୀୟ ମ୍ୟାଚ୍, ୨୬ରେ ତୃତୀୟ ଓ ୨୮ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ । ତେବେ ୨୪ ତାରିଖ ଯେଉଁ ମ୍ୟାଚ୍ ଖେଳାଯିବ ତାହା ସାଢ଼େ ୩ଟାରେ ଆରମ୍ଭ ହେବାକୁ ଥିବା ବେଳେ ଅନ୍ୟ ମ୍ୟାଚଗୁଡ଼ିକ ସନ୍ଧ୍ୟା ୭ଟାରେ ଖେଳାଯିବ ।