୨୦୨୫ରେ ନୁହେଁ, ୨୦୨୯ରେ ଭାରତ ହାସଲ କରିବ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତି ଲକ୍ଷ୍ୟ
ନୂଆଦିଲ୍ଲୀ : (ସଂକେତ ଟିଭି) ଭାରତ ସରକାରଙ୍କର ୨୦୨୫ ଆର୍ଥିକ ବର୍ଷ ସୁଦ୍ଧା ୫ ଟ୍ରିଲିୟନ୍ ଡଲାର ଅର୍ଥନୀତି ହାସଲ କରିବା ଲକ୍ଷ୍ୟ ବିଳମ୍ବ ହେବ । ଭାରତ ସରକାର ଏ ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ବିଳମ୍ବ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବହୁ ସଂସ୍ଥା ଆଗୁଆ ଭବିଷ୍ୟବାଣୀ କରିଛନ୍ତି ।
ଆନ୍ତର୍ଜାତୀୟ ମୂଦ୍ରା ପାଣ୍ଠି (ଆଇଏମ୍ଏଫ୍) ପକ୍ଷରୁ କୁହାଯାଇଛି ଯେ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିକୁ ହାସଲ କରିବାକୁ ହେଲେ ଭାରତ ୨୦୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଆଇଏମ୍ଏଫ୍ ପକ୍ଷରୁ ଗତ ମାସରେ ବିଶ୍ୱ ଆର୍ଥିକ ଆଉଟ୍ ଲୁକ୍ ଡାଟାବେସ୍ରେ ଉଲ୍ଲେଖ କରାଯାଇଛି ଯେ ଭାରତର ଜିଡିପି ଅଭିବୃଦ୍ଧି ୨୦୨୮ ସୁଦ୍ଧା ୪.୯୨ ଡଲାର ଟ୍ରିଲିୟନ୍ ହେବ । ତେଣୁ ୨୦୨୯ ବେଳକୁ ଭାରତ ୫ ଟି୍ରଲିୟନ୍ ଡଲାର ଆର୍ଥିକ ଅଭିବୃଦ୍ଧିକୁ ଅତିକ୍ରମ କରିବ ।
ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ କରାଯାଇଥିବା ଲକ୍ଷ୍ୟରେ ଏଥିରେ ୫ ବର୍ଷ ବିଳମ୍ବ ହେବ । ୨୦୨୮ ଆର୍ଥିକ ବର୍ଷ ପୂର୍ବରୁ ଭାରତ ତା’ର ଲକ୍ଷକୁ ଆକଳନ କରିପାରିବ ନାହିଁ । ଆର୍ଥିକ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ଉଲ୍ଲେଖ କରାଯାଇଥିଲା ଯେ ଭାରତର ଜିଡିପି ଅଭିବୃଦ୍ଧି ହେଉଛି । ୨୦୨୫ ସୁଦ୍ଧା ୫ ଟ୍ରିଲିୟନ୍ ଡଲାର ଛୁଇଁପାରେ ବା ଏଥିରେ ବର୍ଷେ କିମ୍ବା ଦୁଇବର୍ଷ ବିଳମ୍ବ ହୋଇପାରେ ।
ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ଉପଦ୍ଦେଷ୍ଟା ଅନନ୍ତ ନାଗେଶ୍ୱରମ୍ ୨୦୨୨ ବଜେଟ୍ରେ ଏହା ଉଲ୍ଲେଖ କରିଥିଲେ । ଏଥିରେ ଦର୍ଶାଯାଇଥିଲା ଯେ ଯଦି ଆମେ ପ୍ରକୃତ ଜିଡିପି ଅଭିବୃଦ୍ଧି ୮%କୁ ଫେରିବାକୁ ଚାହୁଁଛି ତାହେଲେ ଡଲାର ତୁଳନାରେ ଜିଡିପି ଅଭିବୃଦ୍ଧି ଏହା ରହିବ । ଫଳରେ ୫ ଟି୍ରଲିୟନ୍ ଡଲାର ଅର୍ଥନୀତି ଆମେ ୨୦୨୫-୨୬ କିମ୍ବା ୨୦୨୬-୨୭ ସୁଦ୍ଧା ଛୁଇଁ ପାରିବା ।
ହେଲେ ଆଇଏମ୍ଏଫ୍ର ଆକଳନ ଅନୁଯାୟୀ ଭାରତର ଜିଡିପି ୨୦୨୩ରେ ଟଙ୍କା ହିସାବରେ ୧୩.୪% ବୃଦ୍ଧି ହୋଇପାରେ । ହେଲେ ଆମେରିକୀୟ ଡଲାର ତୁଳନାରେ ଏହା ୮.୨% ରହିବ । ଏହି ଦୁଇ ଅଭିବୃଦ୍ଧି ମଧ୍ୟରେ ଥିବା ପାର୍ଥକ୍ୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ହିଁ ଘଟିବ । ଡଲାର ତୁଳନାରେ ଏବେ ଟଙ୍କା ୨୦୨୩ ସୁଦ୍ଧା ୮୧.୫ ରହିବ । ୨୦୨୨ରେ ଏହା ୭୭.୭ ରହିଛି ।
ଆଇଏମ୍ଏଫ୍ର ଆକଳନ ଅନୁଯାୟୀ ୨୦୨୩ ଆର୍ଥିକ ବର୍ଷରେ ଭାରତ ୩.୨୯ ଟି୍ରଲିୟନ୍ ଡଲାର ଅର୍ଥନୀତିରେ ପହଞ୍ଚିପାରିବ । ୨୦୨୪ରେ ୩.୫୮ ଟି୍ରଲିୟନ୍, ୨୦୨୫ରେ ୩.୮୯ ଟି୍ରଲିୟନ୍, ୨୦୨୬ରେ ୪.୩ ଟି୍ରଲିୟନ୍, ୨୦୨୭ରେ ୪.୫୭ ଟି୍ରଲିୟନ୍, ୨୦୨୮ରେ ୪.୯୨ ଟ୍ରିଲିୟନ୍ରେ ପହଞ୍ଚିବ । ସେତେବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୯୪.୪ ଥିବ ।
ଗତମାସରେ ଆଇଏମ୍ଏଫ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷରେ ଭାରତର ଆର୍ଥିକ ଜିଡିପି ଅଭିବୃଦ୍ଧି ୮.୨% ହେବ ବୋଲି ଆକଳନ କରାଯାଇଛି । ଆର୍ବିଆଇ ମଧ୍ୟ ଜିଡିପି ୨୦୨୩ରେ ୭.୨%କୁ ହ୍ରାସ ପାଇବ ବୋଲି ଆକଳନ କରିଥିବାବେଳେ ୨୦୨୪ରେ ଏହା ୬.୩% ହେବ । ଆଇଏମ୍ଏଫ୍ର ଆକଳନ ଅନୁଯାୟୀ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି ୨୦୨୮ ବେଳକୁ ୬.୨%କୁ ହ୍ରାସ ପାଇବ ।