ଆସନ୍ତା ୩ ଦିନ ପରେ ଜଣାପଡିବ ବାତ୍ୟାର ସ୍ବଷ୍ଟ ଚିତ୍ର

ଭୁବନେଶ୍ବର : (ସଂକେତ ଟିଭି) ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେବ ନା ନାହିଁ ତାର ଚିତ୍ର ତିନି ଦିନ ପରେ ସ୍ପଷ୍ଟ ହେବ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, “ବାତ୍ୟା ସମ୍ପର୍କରେ ଏ ଯାଏଁ କିଛି ଜଣା ପଡିନାହିଁ । ବାତ୍ୟା କେଉଁ ଆଡ଼କୁ ଯିବ ସେ ନେଇ ବି କିଛି ଆକଳନ ହୋଇନାହିଁ । ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ।”ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତିନି ଦିନ ପରେ ଚିତ୍ର ସ୍ପଷ୍ଟ ହେବ । ତାପରେ ବାତ୍ୟାର ଦିଗ ଜଣାପଡ଼ିବ ।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁସାରେ, ଉକ୍ତ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଆଖପାଖ ଅଞ୍ଚଳ ଉପରେ ମେ ୬ ତାରିଖ ଆଡ଼କୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହି ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ।

ଏହା ବାତ୍ୟା ପାଲଟିବ କି, ନାହିଁ ଏବଂ ଯଦି ବାତ୍ୟା ପାଲଟେ ତାହାର ତୀବ୍ରତା କେତେ ରହିବ, ଏବଂ ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ସେସବୁ କଥା ଲଘୁଚାପ ସଂଘଠିତ ହେବା ପରେ ଯାଇ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ଲଘୁଚାପ ହେତୁ ଦକ୍ଷିଣ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ମେ ୫ରୁ ୮ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ମେ ୪, ୫ ଓ ୬ ତାରିଖରେ ଘଣ୍ଟାପ୍ରତି ୬୦ କିଲୋମିଟର୍‌ ଝୁଙ୍କ ସହ ୪୦/୫୦ କିଲୋମିଟର ବେଗରେ ବତାସ ବହିବାର ସମ୍ଭାବନା ଥିବାରୁ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।

ସେହିପରି, ମେ ୭ ତାରିଖ ଦିନ ଘଣ୍ଟାପ୍ରତି ୬୫ କିଲୋମିଟର୍‌ ଝୁଙ୍କ ସହ ୪୫/୫୫ କିଲୋମିଟର ବେଗରେ ବତାସ ବହିବାର ସମ୍ଭାବନା ଅଛି। ମେ ୮ ତାରିଖ ଦିନ ଉପରୋକ୍ତ ଅଞ୍ଚଳରେ ଘଣ୍ଟାପ୍ରତି ୭୫ କିଲୋମିଟର୍‌ ଝୁଙ୍କ ସହ ୫୫/୬୫ କିଲୋମିଟର ବେଗରେ ବତାସ ବହିପାରେ।