ଅଚାନକ ରେପୋ ରେଟ୍ ବୃଦ୍ଧି କଲା ରିଜର୍ଭ ବ୍ୟାଙ୍କ, ମହଙ୍ଗା ହୋଇପାରେ ବ୍ୟାଙ୍କ ଋଣ

ମୁମ୍ବାଇ : (ସଂକେତ ଟିଭି) ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅପ୍ରତ୍ୟାଶିତ ଭାବରେ ଆଜି ରେପୋ ହାର ବୃଦ୍ଧି କରିଛନ୍ତି । ରେପୋ ହାର ୪୦ ବେସିସ ପଏଣ୍ଟ ବା ୦.୪ ପ୍ରତିଶତ ବୃଦ୍ଧି କରି ୪.୪୦ ପ୍ରତିଶତ କରାଯାଇଛି । ଫଳରେ ଦେଶରୁ ଶସ୍ତା ଋଣର ଯୁଗ ଶେଷ ହୋଇଯାଇଛି। ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବାକୁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଏହା ଦ୍ବାରା ବ୍ୟାଙ୍କଗୁଡ଼ିକରୁ ୮୩,୭୧୧ କୋଟି ଟଙ୍କାର ନଗଦ ଅର୍ଥ ରିଜର୍ଭ ବ୍ୟାଙ୍କ ନିକଟକୁ ଚାଲିଯିବ ।

ନିକଟରେ ଆରବିଆଇ ମୌଦ୍ରିକ ନୀତି ସମୀକ୍ଷା କରିଥିଲେ। ତେବେ ସେତେବେଳେ ରେପୋ ହାର ଅପରିବର୍ତ୍ତିତ ରଖିଥିବା ବେଳେ ବୁଧବାର ଅଚାନକ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାରଦିନ ଏକ ସମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ଘୋଷଣା କରିଛନ୍ତି । ବର୍ତ୍ତମାନର ଅର୍ଥନୈତିକ ପ୍ରେକ୍ଷାପଟ୍ଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ଗତ ଏପ୍ରିଲ ମାସରେ ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କର ଦ୍ବିମାସିକ ଋଣନୀତି ସମୀକ୍ଷାରେ ସୁଧହାର ଅପରିବର୍ତ୍ତିତ ରଖାଯାଇଥିଲା ।

ଗତ ମାର୍ଚ୍ଚ ୨୦୨୨ରୁ ଖୁଚୁରା ମୁଦ୍ରାସ୍ପିତି ହାର ବଢି ବଢି ଚାଲିଛି। ଏହା ଏବେ ୭ ପ୍ରତିଶତରେ ପହଞ୍ଚିଯାଇଛି। ବିଶେଷ କରି ଖାଦ୍ୟପଦାର୍ଥର ଉଚ୍ଚ ମୂଲ୍ୟ ମୁଦ୍ରାସ୍ପିତି ବଢାଇଥିବା କୁହାଯାଇଛି। ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଗହମ ସମେତ ଅନ୍ୟ ଖାଦ୍ୟ ଶସ୍ୟର ମୂଲ୍ୟ ମଧ୍ୟ ବଢିଛି। ଯୁଦ୍ଧ ଜନିତ ଉତ୍ତେଜନା ଗ୍ଲୋବାଲ ସପ୍ଲାଇ ଚେନକୁ ପ୍ରଭାବିତ କରିଛି।

ରିଜର୍ଭ ବ୍ୟାଙ୍କର ଏହି ଘୋଷଣା ପରେ ଷ୍ଟକ ବଜାରରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଚର ସୂଚକାଙ୍କ ସେନସେକ୍ସ ୧୩୦୬ ପଏଣ୍ଚରୁ ଅଧିକ ହ୍ରାସ ପାଇଛି । ସେହିପରି ନ୍ୟାସନ୍ୟାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି ୩୯୧ ପଏଣ୍ଟ ହ୍ରାସ ପାଇଛି ।